ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(UFBU) ପକ୍ଷରୁ ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଦେଶର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ଓଡ଼ିଶାର ୫ ହଜାର ୫୦୦ ବ୍ୟାଙ୍କ ଶାଖାର ପ୍ରାୟ ୩୦ ହଜାର କର୍ମଚାରୀ ଓ ଅଧିକାରୀ ମଧ୍ୟ ଧର୍ମଘଟରେ ସାମିଲ ହେବେ ବୋଲି ସୂଚନା ମିଳିଛି। ତେଣୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଅଲ୍‌ ଇଣ୍ଡିଆ କର୍ମଚାରୀ ସଂଘ, ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍, ନ୍ୟାସନାଲ କନଫେଡେରେସନ୍ ଅଫ୍ ବ୍ୟାଙ୍କ କର୍ମଚାରୀ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍, ବ୍ୟାଙ୍କ କର୍ମଚାରୀ କନଫେଡେରେସନ୍ ଅଫ ଇଣ୍ଡିଆ ସମେତ UFBU ର ୯ କର୍ମଚାରୀ ୟୁନିଅନ୍ ଏହି ଧର୍ମଘଟରେ ସାମିଲ ହେବେ ।

ଦୁଇଟି ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କର ପ୍ରସ୍ତାବିତ ଘରୋଇକରଣକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି। ତେଣୁ ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିରୁ ଓହରନ୍ତୁ, ନଚେତ୍‌ ଆଗାମୀ ଦିନରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଚଳିତ ବର୍ଷ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କର ଘରୋଇକରଣ ଘୋଷଣା କରିଛନ୍ତି। ୨୦୧୯ରେ କେନ୍ଦ୍ର ସରକାର LIC ରେ IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରି କରି ଦେଇଛନ୍ତି। ଅନ୍ୟପଟେ ବିଗତ ୪ ବର୍ଷ  ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇସାରିଛି।

You might also like