ଗୋଟିଏ ବେଡ୍ରେ ଶୋଇଛନ୍ତି ୨ କୋଭିଡ୍ ରୋଗୀ, ଫଟୋ ଭାଇରାଲ୍
ମୁମ୍ବାଇ: ଦେଶରେ ଅଣାୟତ କରୋନାର ଦ୍ୱିତୀୟ ଲହର। କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ମହାରାଷ୍ଟ୍ରରେ କରୋନାର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ହେଲେ ଏସବୁ ଭିତରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ମହାରାଷ୍ଟ୍ରରେ କୋଭିଡ୍ର ଭୟଙ୍କର ସ୍ଥିତି ବଖାଣୁଛି। ମହାରାଷ୍ଟ୍ରର ଏକ ହସ୍ପିଟାଲ୍ରେ ୨ ଜଣ କୋଭିଡ୍ ରୋଗୀ ଗୋଟିଏ ବେଡ୍ରେ ଲଗାଲଗି ହୋଇ ଶୋଇଥିବା ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆରେ ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି।
ସୂଚନା ଅନୁସାରେ, ଭାଇରାଲ୍ ହେଉଥିବା ଏହି ଚିତ୍ର ନାଗପୁର ସରକାରୀ ହସ୍ପିଟାଲ୍ର ବୋଲି ଜଣାପଡ଼ିଛି। ହସ୍ପିଟାଲ୍ରେ ସବୁ ବେଡ୍ ଫୁଲ୍ ଥିବା ଯୋଗୁ ଅଧିକାଂଶ ବେଡ୍ରେ ଜଣେ ବଦଳରେ ଦୁଇ ଜଣ ରୋଗୀ ରହୁଥିବା ଦେଖିବାକୁ ମିଳିଛି।
ଘଟଣାକୁ ନେଇ ହସ୍ପିଟାଲ୍ ଅଧିକାରୀ କହିଛନ୍ତି, ବେସରକାରୀ ହସ୍ପିଟାଲ୍ରେ ଅଧିକ ଚିକିତ୍ସା ଖର୍ଚ୍ଚ କାରଣରୁ ଲୋକେ ସରକାରୀ ହସ୍ପିଟାଲ୍ ଆସୁଛନ୍ତି। ଅନ୍ୟ ହସ୍ପିଟାଲ୍ରେ ଡାକ୍ତର ବି ରୋଗୀଙ୍କୁ Nagpur Government Medical College Hospitalକୁ ରେଫର କରୁଛନ୍ତି। ଫଳରେ ଏଭଳି ସ୍ଥିତି ଉପୁଜିଛି।
ମହାରାଷ୍ଟ୍ରରେ କୋଭିଡ୍ ହଟସ୍ପଟ୍ ପାଲଟିଛି। ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଜାରି ହୋଇନଥିଲେ ବି ଓ୍ୱିକ୍ ଏଣ୍ଡ ଲକ୍ଡାଉନ୍ ଜାରି ହୋଇଛି। ଅର୍ଥାତ୍ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ରହିବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ଏହାସହ ସବୁ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟହେବ।