କାର୍ଯ୍ୟାନୁଷ୍ଠାନ ଭୟ ? ପୁଣି ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ଭେରିଫାଏ କଲା ଟ୍ୱିଟର

ନୂଆଦିଲ୍ଲୀ : ଟ୍ୱିଟରକୁ ଘାରିଲା କି କାର୍ଯ୍ୟାନୁଷ୍ଠାନ ଭୟ ? ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଛି। ଆଜି ସକାଳେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା । ଲମ୍ବା ସମୟ ଧରି ଟ୍ୱିଟର ଆକାଉଣ୍ଟ୍ ଲଗ ଇନ୍ ହୋଇନଥିବାରୁ ଆପେ ଆପେ ବ୍ଲୁ ଟିକ୍ ହଟି ଯାଇଥିବା ଯୁକ୍ତି ବାଢ଼ିଥିଲା ଟ୍ୱିଟର ଇଣ୍ଡିଆ ।

ତେବେ ବ୍ଲୁ ଟିକା ହରାଇବାର କିଛି ଘଣ୍ଟା ମଧ୍ୟରେ ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟକୁ ପୁଣି ଭେରିଫାଏ କରିଛି ଟ୍ୱିଟର । ଏହାରି ଭିତରେ ସୂତ୍ର ଅନୁସାରେ ଉପରାଷ୍ଟ୍ରପତିଙ୍କ ସମେତ ଆରଏସଏସ ସହ ଜଡିତ ଅନେକ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ପରେ ସରକାର ଟ୍ୱିଟର ଉପରେ ନାରାଜ ହୋଇଯାଇଥିଲେ । ଟ୍ୱିଟର ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାନ୍ତି ବୋଲି କୁହାଯାଉଥିଲା ।

ସେହିପରି ଆଇଟି ମନ୍ତ୍ରାଳୟ ଏହାକୁ ଟ୍ୱିଟରର ଭୁଲ ଉଦ୍ଦେଶ୍ୟ ବୋଲି କହିଛି । ଖୁବ ଶୀଘ୍ର ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି କରୁଛି ବୋଲି ସୂତ୍ରରୁ ଜଣାପଡ଼ିଛି । ଆଇଟି ମନ୍ତ୍ରାଳୟ ପକ୍ଷରୁ ଆଜି ଟ୍ୱିଟରକୁ ନୋଟିସ୍ ପଠାଯିବ । ବିନା ସୂଚନାରେ ଉପରାଷ୍ଟ୍ରତିଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ କିପରି ହଟାଗଲା ବୋଲି ପ୍ରଶ୍ନ କରାଯିବ । ଏହା ଭାରତର ସାମ୍ବିଧାନିକ ପଦର ଅବମାନନା ଅଟେ ।

ସୂଚନାଯୋଗ୍ୟ ଶନିବାର ତଥା ଆଜି ସକାଳେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଥିଲା । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଥିଲା । ବ୍ଲୁ ଟିକ୍ ହଟିବା ପରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲେ । ଏହି ଖବର ପ୍ରଘଟ ହେବା ପରେ ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା ‘ଭାରତର ଉପରାଷ୍ଟ୍ରପତି’। ସୋସିଆଲ ମିଡିଆରେ ଅନେକ ଲୋକ ଟ୍ୱିଟରର ଏହି ପଦକ୍ଷେପକୁ ବିରୋଧ କରିଥିଲା ।

You might also like