• translate
Prangyan Parimita

ନୂଆଦିଲ୍ଲୀ : ନୂଆ ଆଇଟି ନିୟମର ପାଳନ ନକରିବା ଟ୍ୱିଟର ପାଇଁ ମହଙ୍ଗା ପଡ଼ିଲା । ଟ୍ୱିଟରକୁ ଭାରତ ପକ୍ଷରୁ ମିଳୁଥିବା ଲିଗାଲ ପ୍ରୋଟେକ୍ସନ ଅର୍ଥାତ୍ ଆଇନଗତ ସୁରକ୍ଷା କବଚ ଶେଷ ହୋଇଛି । କେନ୍ଦ୍ର ସରକାର ମେ ୨୫ରେ ନୂଆ ନିୟମ ଲାଗୁ କରିଥିଲେ, କିନ୍ତୁ ଟ୍ୱିଟର ଏବେ ସୁଦ୍ଧା ନୂଆ ନିମୟ ଲାଗୁ କରିନାହିଁ । ଫଳରେ ଟ୍ୱିଟର ବିରୁଦ୍ଧରେ ଆକ୍ସନ ନିଆଯାଇଛି । ଏଭଳି ପରିସ୍ଥିତିରେ ପୋଲିସ ବର୍ତ୍ତମାନ କମ୍ପାନୀର ଭାରତୀୟ ୟୁନିଟର ପରିଚାଳନା ନିର୍ଦ୍ଦେଶକ ସମେତ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିପାରିବ । ଟ୍ୱିଟରରେ ଶେୟାର କରାଯାଇଥିବା ବେଆଇନ୍ ଓ ହିଂସାକାଣ୍ଡ ପାଇଁ ଉସକାଉଥିବା କଣ୍ଟେଂଟକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ ଟ୍ୱିଟର ।

ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ୍ କିମ୍ବା ଆଦେଶ ଜାରି କରାଯାଇ ନାହିଁ । ହେଲେ ଟ୍ୱିଟର ଏବେ ସୁଦ୍ଧା ନୂଆ ନିୟମର ପାଳନ କରିନଥିବାରୁ, ତାହାର ଲିଗାଲ ପ୍ରୋଟେକ୍ସନ୍ ଆପେ ଆପେ ଶେଷ ହୋଇଯାଇଛି । ଟ୍ୱିଟର ଠାରୁ ଲିଗାଲ ପ୍ରୋଟେକ୍ସନ୍ ହଟାଇବା ବହୁତ ଗମ୍ଭୀର ମାମଲା ଅଟେ । ଏବେ ଟ୍ୱିଟର ଭାରତୀୟ ଆଇନ ଅଧୀନକୁ ଆସିଯାଇଛି, ଯଦ୍ୱାରା କୌଣସି ବି ଆପତ୍ତିଜନକ କଣ୍ଟେଂଟ ପାଇଁ ଟ୍ୱିଟରକୁ ଦାୟୀ କରାଯାଇ ପାରିବ । ସାଇବର ଆଇନ୍ ବିଶେଷଜ୍ଞଙ୍କ ଅନୁସାରେ, ଆଇଟି ଆକ୍ଟ ୭୯ ଧାରା ଅନୁସାରେ ମିଡ଼ିଆ ପ୍ଲାଟଫର୍ମକୁ ଆଇନଗତ ସୁରକ୍ଷା ମିଳେ । ଏଥିରେ କୌଣସି ବି ଅପରାଧିକ କାର୍ଯ୍ୟକଳାପ ପାଇଁ କମ୍ପାନୀକୁ ଦାୟୀ କରାଯାଏ ନାହିଁ, କିନ୍ତୁ ଏବେ କୌଣସି ଆଇନର ଉଲ୍ଲଂଘନ ହେଲେ ଟ୍ୱିଟରର ଭାରତୀୟ ମୁଖ୍ୟ ଦାୟୀ ରହିବେ ।

୨୫ ଫେବୃୟାରୀରେ କେନ୍ଦ୍ର ସରକାର ନୂଆ ଆଇଟି ନିୟମର ଘୋଷଣା କରିଥିଲେ ଓ ଏହାକୁ ଲାଗୁ କରିବା ପାଇଁ ୩ ମାସର ସମୟ ଦେଇଥିଲେ । ନୂଆ ନିମୟ ଅନୁସାରେ ମିଡ଼ିଆ କମ୍ପାନୀ ଗୁଡ଼ିକ ଭାରତରେ ଜଣେ ନୋଡାଲ ଅଧିକାରୀ, ଅଭିଯୋଗ ଶୁଣୁଥିବା ଅଧିକାରୀ ଓ ଅନୁପାଳନ ଅଧିକାରୀ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ତିନି ଜଣ ଅଧିକାରୀ ଭାରତୀୟ ଓ ଭାରତୀୟ କମ୍ପାନୀର ଅଧିକାରୀ ହୋଇଥିବା ଆବଶ୍ୟକ ବୋଲି ନିୟମରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଟ୍ୱିଟର ଏବେ ସୁଦ୍ଧା ନୂଆ ନିୟମର ପାଳନ କରି ନାହିଁ ।

ସୂଚନାଯୋଗ୍ୟ ମିଥ୍ୟା ଓ ଆପତ୍ତିଜନକ ମେସେଜ୍କୁ ରୋକିବା ଲାଗି କେନ୍ଦ୍ର ସରକାର ଆଣିଥିବା ନୂଆ ନିୟମ ଲାଗୁ ହୋଇଛି । ଦେଶର ଅଖଣ୍ଡତା, ସର୍ବଭୌମତ୍ୱ ଓ ସୁରକ୍ଷା, ବୈଦେଶିକ ସଂପର୍କ, ଆଇନଶୃଙ୍ଖଳା ସଂପର୍କିତ କିମ୍ବା ୫ ବର୍ଷ ବା ତଦୁର୍ଦ୍ଧ୍ୱ ଜେଲ ଦଣ୍ଡ ବ୍ୟବସ୍ଥା ଥିବା ଅପରାଧ ସଂପର୍କିତ ସୂଚନାକୁ ପ୍ରଥମେ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ସଂପର୍କରେ ସରକାରଙ୍କୁ ତଥ୍ୟ ଦେବା ପାଇଁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୌଣସି ବ୍ୟକ୍ତିଙ୍କ ପୋଷ୍ଟକୁ ଡିଲିଟ୍ କରିବା ପୂର୍ବରୁ ସୋସିଆଲ ମିଡିଆ କଂପାନିଙ୍କୁ ଉଚିତ କାରଣ ସହ ପଦକ୍ଷେପ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଇବାରୁ ପଡିବ । ସୋସିଆଲ୍ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ଆପତ୍ତିଜନକ ଓ ଅପରାଧିକ କାର୍ଯ୍ୟ କଳାପ ରୋକିବା ପାଇଁ ଲାଗୁ ସରକାର ଆଣିଥିବା ନୂଆ ଗାଇଡଲାଇନରେ ଏଭଳି ବ୍ୟବସ୍ଥା ରହିଛି ।

Other Stories