• translate
Prangyan Parimita

 

ନୂଆଦିଲ୍ଲୀ : ଡାଉନ୍ ହେଲା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର । ପେଜ୍ ଲୋଡ୍ କରିପାରୁ ନାହାନ୍ତି ୟୁଜର । ବିଶ୍ୱର ଅନେକ ଦେଶରୁ ଏପରି ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହାକୁ ନେଇ ଅନେକ ୟୁଜର ଅଭିଯୋଗ ମଧ୍ୟ କରିଛନ୍ତି । ଟ୍ୱିଟର ଡାଉନ୍ ହେବା ସତ୍ତ୍ୱେ କିଛି ଫିଚର ପାଇଁ ୟୁଜର ଟ୍ୱିଟର ଆକ୍ସେସ୍ କରିପାରୁଛନ୍ତି ।

ଡେସ୍କଟପ ଓ ଲାପଟପରେ  ଟ୍ୱିଟର ଆକ୍ସେସ୍ କରିବାରେ ଅସୁବିଧା ଭୋଗୁଛନ୍ତି ୟୁଜର । ଅନେକ ୟୁଜର ନିଜର ଟ୍ୱିଟ ଓ ଟ୍ୱିଟରର ଥ୍ରେଡ୍ ଦେଖିବାରୁ ନାହାଁନ୍ତି । ଗତକାଲି ବିଳମ୍ବିତ ରାତି ଠାରୁ ଟ୍ୱିଟରରେ ସମସ୍ୟା ଦେଖାଦେଇ ଥିବା କହିଛନ୍ତି ୬୦୦୦ ରୁ ଅଧିକ ଉପଭୋକ୍ତା । ସୂଚନା ଅନୁସାରେ ମୋଟ ରିପୋର୍ଟର ପ୍ରାୟ ୯୩ ପ୍ରତିଶତ ସମସ୍ୟା ଟ୍ୱିଟର ୱେବସାଇଟ୍ ସହିତ ଜଡିତ । ଅନ୍ୟପଟେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର ମୋବାଇଲ୍ ଡିଭାଇସରେ ଭଲ କାମ କରୁଛି ବୋଲି କହିଛନ୍ତି କିଛି ୟୁଜର । ଆଜି ଦିନ ସକାଳ ୭:୦୩ ରୁ ୟୁଜର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିଗତ କିଛି ଦିନ ହେଲା ବିବାଦ ଘେରରେ ରହିଛି ଟ୍ୱିଟର । ଟ୍ୱିଟର ଏବଂ କେନ୍ଦ୍ର ସରକାର ମଧ୍ୟରେ ପୂର୍ବରୁ ଅନେକ ବିବାଦ ଚାଲିଥିଲା । ଆଉ ଏହାରି ମଧ୍ୟରେ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ୱେବସାଇଟରେ  ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଦେଶ ଭାବରେ ଦର୍ଶାଯାଇଥିଲା ।  ତେବେ ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଥିଲା ଟ୍ୱିଟର। ଜଣେ ୟୁଜର ଏ ସଂପର୍କରେ ଜଣାଇବା ପରେ ଏହାକୁ ନେଇ ଟ୍ୱିଟରକୁ ସବୁ ଆଡ଼ୁ ସମାଲୋଚନା କରାଯାଇଥିଲା। ଏହାକୁ ନେଇ ଟ୍ୱିଟର ଇଣ୍ଡିଆର ମ୍ୟାନେଜିଂ ଡିରେକ୍ଟର ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ ମାମଲା ରୁଜୁ କରାଯାଇଛି । ବଜରଙ୍ଗ ଦଳର ଜଣେ କର୍ମୀ ଏହି ମାମଲା ରୁଜୁ କରିଛନ୍ତି।

ଗତ କିଛି ଦିନ ହେଲାଣି ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଯାହାକି ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହେବାରେ ଲାଗିଛି । ନୂଆ ଆଇଟି ନିୟମ ମାନିବାରେ ଅବହେଳା କରିବାକୁ ଟ୍ୱିଟରକୁ ମିଳୁଥିବା ଆଇନଗତ ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହାଦ୍ୱାରା କଂପାନୀକୁ ଆଉ ପୂର୍ବ ଭଳି କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ, ମାନହାନି କିମ୍ବା ଜରିମାନା ଆଦିରୁ ସୁରକ୍ଷା ମିଳିବନାହିଁ।

Other Stories