ନୂଆ ଗାଇଡଲାଇନ୍‌କୁ ନେଇ କୋର୍ଟର ଦ୍ୱାରସ୍ଥ ହେଲା ହ୍ୱାଟସ୍‌ଆପ୍‌

ନୂଆଦିଲ୍ଲୀ: ସରକାର ବନାମ ସୋସିଆଲ୍ ମିଡିଆ। ଡିଜିଟାଲ୍ ମିଡିଆ ପାଇଁ ନୂଆ ଗାଇଡଲାଇନ୍ ସଂପର୍କରେ ନିଜ ସ୍ଥିତି ସ୍ପଷ୍ଟ କରିବାକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମକୁ ଚିଠି କରିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ।

ଫେସବୁକ, ହ୍ୱାଟସ୍‌ଅପ୍‌ ଏବଂ ଟ୍ୱିଟର ଭଳି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ମନ୍ତ୍ରାଳୟ ଚିଠି ଲେଖି ଦର୍ଶାଇଛି ଯେ, ନୂଆ ନିୟମ ପାଳନ କରିବା ପାଇଁ ୩ ମାସ ସମୟ ଦିଆଯାଇଥିଲା। ତାସହ ଭାରତରେ ଏକ ଅନୁପାଳନ ଅଧିକାରୀ ନିଯୁକ୍ତ, ଆପତ୍ତି ଅଭିଯୋଗର ପ୍ରତିକ୍ରିୟା ପ୍ରଣାଳୀ ସ୍ଥାପନ କରିବାକୁ ଏବଂ ଆଇନଗତ ଆଦେଶର ୩୬ ଘଣ୍ଟା ମଧ୍ୟରେ ପ୍ରସ୍ତାବିତ ବିଷୟବସ୍ତୁ ହଟାଇବାକୁ କୁହାଯାଇଥିଲା ଚିଠିରେ। ଏହି ସମସ୍ତ ଅଧିକାରୀ ଭାରତୀୟ ହୋଇଥିବେ ବୋଲି ସରକାର କହିଥିଲେ। ହେଲେ ଏହି ସୋଶାଲ ମିଡିଆ କମ୍ପାନୀମାନେ କିନ୍ତୁ ଏପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ କରିନାହାଁନ୍ତି। ଯାହାକୁ ନେଇ ବିବାଦ ଉପୁଜିଛି।

ତେଣୁ ନୂଆ ନିୟମ ଲାଗୁ ହୋଇଥିବାବେଳେ ଏହାର ଅନୁପାଳନ ହେଉଛି ନା ନାହିଁ, ସେନେଇ ଚିଠି ଲେଖି ଉତ୍ତର ମାଗିଛି କେନ୍ଦ୍ର ଆଇଟି ମନ୍ତ୍ରାଳୟ । ଯେତେ ଶିଘ୍ର ସମ୍ଭବ, ସେସବୁର ଉତ୍ତର ଦେବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ନୂଆ ଆଇଟି ଗାଇଡ୍‌ଲାଇନ୍‌କୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟ ଯାଇଛି ହ୍ୱାଟସ୍‌ଆପ୍‌।
ହ୍ୱାଟସଆପ୍ ମେ ୨୫ରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଜରିଆରେ ୨୬ ତାରିଖରୁ ସରକାର ଲାଗୁ କରିଥିବା ନୂଆ ନିୟମ ଉପରେ ରୋକ୍ ଲଗାଇବା ପାଇଁ ହ୍ୱାଟସଆପ୍ ଆବେଦନ କରିଛି।  ନୂଆ ନିୟମ ଦ୍ୱାରା ୟୁଜରଙ୍କ ଗୋପନୀୟତା ପ୍ରଭାବିତ ହେବ ବାଲି  ହ୍ୱାଟସଆପ୍ ପକ୍ଷରୁ କୁହାଯାଇଛି । ଏହା ପରେ କେନ୍ଦ୍ର ସରକାର କମ୍ପାନୀକୁ ନିଜର ସୀମା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛନ୍ତି। ଟୁଲକିଟ୍ ବିବାଦ ପରେ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସର ରାଡାର୍‌ରେ ଅଛି।

 

 

You might also like