ସୀମା ନିକଟରୁ ଠାବ ହେଲା ୧୫୦ ମିଟର ଲମ୍ବର ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଜାତୀୟ ସୀମା ନିକଟରୁ ୧୫୦ ମିଟର ଲମ୍ବର ଏକ ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌ ଠାବ ହୋଇଛି। ବିଏସ୍‌ଏଫ୍‌ ଯବାନ ଏହି ଟନେଲ୍‌ ଠାବ କରିଛନ୍ତି। ଏହି ପଥ ଦେଇ ୪ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି।

୨.୫ ମିଟର ପ୍ରସାର ଓ ୨୫ରୁ ୩୦ ମିଟର ଗଭୀର ଥିବା ଏହି ଟନେଲ୍‌ଟି‌ ଇଞ୍ଜିନିୟରଙ୍କ ପୂରା ପ୍ଲାନିଂରେ ନିର୍ମିତ କରାଯାଇଥିବା ଜଣାପଡ଼ିଛି। ଟନେଲ୍‌ ବାହାରେ ରଖା ଯାଇଥିବା ଅଖା ବସ୍ତା ଉପରେ ପାକିସ୍ତାନର ଠିକଣା ଲେଖା ହୋଇଥିବା ଦେଖିବାକୁ ମିଳିଛି।

ଏହା ହେଉଛି ଦ୍ୱିତୀୟ ଟନେଲ୍‌ ଯାହା ଗତ ୩ ମାସ ମଧ୍ୟରେ ସମ୍ବାର ଅନ୍ତର୍ଜାତୀୟ ସୀମା ନିକଟରୁ  ଠାବ ହୋଇଛି। ଅଗଷ୍ଟରେ border guarding force ଦ୍ୱାରା ଗଲାର୍‌ ଅଞ୍ଚଳରୁ ଏକ ଟନେଲ୍‌ ଠାବ ହୋଇଥିଲା।

ସୂଚନାଥାଉ କି, ୪ ଆତଙ୍କବାଦୀ ଟ୍ରକ୍‌ରେ ଯାତ୍ରା କରୁଥିବା ବେଳେ ଗୁରୁବାର ଦିନ ବ୍ୟାନ୍‌ ଟୋଲ୍‌ ପ୍ଲାଜା ନିକଟରେ ଏମାନଙ୍କୁ ଅଟକା ଯାଇଥିଲା। ଏହାପରେ ସୁରକ୍ଷାକର୍ମୀ ଓ ୪ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସମସ୍ତ ୪ ଆତଙ୍କବାଦୀ ନିହତ ହୋଇଥିଲେ।

ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳି, ୩ଟି ପିସ୍ତଲ, ୨୯ଟି ଗ୍ରେନେଡ୍‌ ଓ ୬ଟି UBGL ଗ୍ରେନେଡ୍‌ ଜବତ ହୋଇଥିଲା। ଏହି ଆତଙ୍କବାଦୀମାନେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ବଡ଼ ଧରଣର ପ୍ଲାନ୍‌ କରିଥିଲେ ବୋଲି ସୂଚନା ମିଳିଛି।

You might also like