ଉତ୍ତରାଖଣ୍ଡରେ ପୁଣି ହିମସ୍ଖଳନ : ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି

ଡେରାଡୁନ୍ : ପୁଣି ଉତ୍ତରାଖଣ୍ଡରେ ହିମସ୍ଖଳନ । ଭାରତ-ଚୀନ୍ ସୀମା ଚାମୋଲି ଜିଲ୍ଲାର ସୁମନ ଗାଁ ଅଞ୍ଚଳରେ ହିମସ୍ଖଳନ ହୋଇଛି । ଫଳରେ ଋଷିଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳି ପାରିନାହିଁ । ପ୍ରବଳ ବରଫପାତ ଯୋଗୁଁ ହିମସ୍ଖଳନ ହୋଇଥିବା ଜଣାପଡ଼ିଛି ।  ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଆରଓର ଶ୍ରମିକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଗତ ତିନି ଦିନ ଧରି ଲଗାତାର ବର୍ଷା ଓ ତୁଷାରପାତ ହେତୁ ଚାମୋଲି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ଏବଂ ତୁଷାରପାତ ହେଉଥିଲା । ତେବେ ବର୍ତ୍ତମାନ ହିମସ୍ଖଳନ ପରେ ସଂପୃକ୍ତ ଅଞ୍ଚଳରେ ରୋଡ୍ କାମରେ ନିୟୋଜିତ ଥିବା କର୍ମଚାରୀଙ୍କ ସହ ଯୋଗାଯୋଗ ପାଇଁ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ଉଦ୍ୟମ କରାଯାଉଛି ।

 

ଆର୍ମି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଇଟିବିପିର ଅଷ୍ଟମ ବାଟାଲିଆନ୍ ପୋଷ୍ଟ ନିକଟରେ ମାଲାରୀ ଏବଂ ସୁମନ ଗାଁ ମଝିରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ପରେ ସେଣ୍ଟ୍ରାଲ ଆର୍ମି କମାଣ୍ଡ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।ହିମସ୍ଖଳନ ପରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ହିମସ୍ଖଳନରେ ଆଇଟିବିପି ଯବାନମାନେ ସୁରକ୍ଷିତ ଥିବା ଟ୍ୱିଟ୍ କରିଛନ୍ତି । ଉତ୍ତରାଖଣ୍ଡ ଡିଜିପି ଖରାପ ପାଗ ଯୋଗୁଁ ଅଧିକ ତଥ୍ୟ ମିଳିପାରିନାହିଁ ।  ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଟିମ୍ ପଠାଯାଇଥିବା ଡିଜିପି ଟ୍ୱିଟ୍ କରିଛନ୍ତି ।  ତେବେ ହିମସ୍ଖଳନ ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ।

ସୂଚନାଯୋଗ୍ୟ ଫେବୃଆରୀ ମାସରେ ମଧ୍ୟ ଉତ୍ତରାଖଣ୍ଡରେ ହିମସ୍ଖଳନ ହୋଇଥିଲା । ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଦେଇଥିଲା । ଏଥିରେ ଋଷିଗଙ୍ଗା ହାଇଡ୍ରୋ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ୧୫୦ ଜଣ ଲୋକ ମଧ୍ୟ ଭାସିଯାଇଥିଲେ।

 

You might also like