ସୁନାମୀରେ ୮୦୦ ଟପିଲା ମୃତ୍ୟୁସଂଖ୍ୟା

ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି।

ଇଣ୍ଡୋନେସିଆର ପାଲୁ ସହର ଭଗ୍ନସ୍ତୁପରେ ପରିଣତ ହୋଇଛି।  ଟେଲିଫୋନ୍‌ ଲାଇନ୍ ଓ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଯୁଦ୍ଧକାଳୀନ ଭତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ୟୁ.ଏସ୍ ଜିଓଲୋଜିକାଲ୍‌ ସର୍ଭେର ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣ ସମୟରେ ହୋଇଥିବା ଭୂକମ୍ପ କେନ୍ଦ୍ରସ୍ଥଳ ଦକ୍ଷିଣ ପାଲୁଠାରୁ ପ୍ରାୟ ୫୬ କିଲୋମିଟର୍‌ ଦୂରରେ ଥିଲା।

ଭୂକମ୍ପର ମାତ୍ରା ରିକ୍ଟର୍‌ ସ୍କେଲ୍‌ରେ ୭.୫ ଥିଲା। ଏହାପରେ ସମୁଦ୍ରରେ ପ୍ରଳୟଙ୍କାରୀ ସୁନାମୀ ଆସି ବହୁ କ୍ଷୟକ୍ଷତି ଘଟାଇଛି। ସୁନାମୀ କାରଣରୁ ଇଣ୍ଡୋନେସିଆ ସମୁଦ୍ର ବେଳାଭୂମୀରେ ପ୍ରାୟ ୫ଫିଟ୍‌ ଉଚ୍ଚତାରେ ଜୁଆର ମାଡ଼ିଆସିଥିଲା।

ଏହା ପୂର୍ବରୁ ୨୦୦୪ ମସିହାରେ ରିକ୍ଟର୍ ସ୍କେଲରେ ୯.୧ ମାତ୍ରାରେ ଭୂକମ୍ପ ଯୋଗୁ ସୁନାମୀ ଆସି ୨ ଲକ୍ଷ ୩୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

 

 

You might also like