ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ଧରି ଚାଲିଥିବା ଟ୍ରକ୍ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏବଂ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

ସଂଘର ବିଭିନ୍ନ ଦାବି ମାନିନେବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ଗତକାଲିଠୁ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା AIMTC ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ରାଜପଥରୁ ଟୋଲ୍‌ ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ପ୍ରିମିୟମ ହ୍ରାସ, ଟ୍ରକ୍ ଡ୍ରାଇଭର ଓ ହେଲ୍‌ପରଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଆଦି ୮ ଦଫା ଦାବି ନେଇ ଗତ ୨୦ ତାରିଖରୁ ଆନ୍ଦୋଳନ ଡାକରା ଦେଇଥିଲେ AIMTC।

ଦେଶବ୍ୟାପୀ ଏହି ଆନ୍ଦୋଳନ ଯୋଗୁଁ ମାଲ୍‌ ପରିବହନ ଠପ୍ ହୋଇଯାଇଥିଲା। ଓଡ଼ିଶାର ବିଭିନ୍ନ ଟ୍ରକ୍ ମାଲିକ ସଂଘ ଆନ୍ଦୋଳନକୁ ସମର୍ଥନ କରି ଧର୍ମଘଟରେ ସାମିଲ ହେବା ଦ୍ୱାରା ରାଜ୍ୟରେ ବି ମାଲ ପରିବହନ ସେବା ଗୁରୁତର ପ୍ରଭାବିତ ହୋଇଥିଲା। ତେବେ ଗତକାଲି ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଦେଶର ମାଲ୍‌ ପରିବହନ ସେବା ସ୍ୱାଭାବିକ ହେବବୋଲି ଆଶା କରାଯାଉଛି।

You might also like