ଆଜି ଗୋଟିଏ ଦିନରେ ଦୁଇଥର ଆତଙ୍କବାଦୀ ଆକ୍ରମଣ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ଆଜି ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇ ସାରିଲାଣି। ପ୍ରଥମେ ସୋପରରେ ଥିବା ଏକ ବସ୍‌ ଷ୍ଟାଣ୍ଡ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ ଆତଙ୍କବାଦୀ। ଏଥିରେ ୧୫ ଜଣ ସାଧାରଣ ଲୋକ ଗୁରୁତୁର ଆହତ ହୋଇଥିଲେ। ଏବେ ପୁଣିଥରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ତାଙ୍କ ନାଁ ନାରାୟଣ ଦତ୍ତ। ସେ ଜମ୍ମୁର ରେଇସି ଅଞ୍ଚଳରେ ରହୁଥିଲେ। ଆଜି ସେ କଶ୍ମୀରର ଅନନ୍ତନାଗରେ ଟ୍ରକ୍‌ରେ ସେଓ ନେଇ ଯାଉଥିବା ବେଳେ ତାଙ୍କୁ ଆତଙ୍କବାଦୀମାନେ ଅଟକାଇ ଥିଲେ।

ଏହାପରେ ତାଙ୍କ ଟ୍ରକ୍‌ ଉପରକୁ ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ନାରାୟଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଅନନ୍ତନାଗର ବେଜବେହରା ଠାରେ ଘଟିଛି। ଏବେ ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

କଶ୍ମୀରରେ ମୋବାଇଲ ସେବା ଆରମ୍ଭ ହେବା ପରେ ଆତଙ୍କାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବାରେ ଲାଗିଛନ୍ତି। ଆଜିକୁ ମିଶାଇ ୪ର୍ଥ ଥର ପାଇଁ ଏଭଳି ଘଟଣା ଘଟିଛି। ଏହାପୂର୍ବରୁ ଜଣେ ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ଆସନ୍ତାକାଲି ୟୁରୋପୀୟ ପ୍ରତିନିଧି ଦଳ କଶ୍ମୀର ଗସ୍ତରେ ଯିବାକୁ ଥିବା ବେଳେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି।

You might also like