ବିଶ୍ୱସ୍ତରରେ ବିପଦ ଘନେଇଲା; କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ବ୍ଲାକ୍‌ଲିଷ୍ଟ ହୋଇପାରେ ପାକିସ୍ତାନ। ଫାଇନାନ୍‌ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ତେବେ ଏନେଇ ସନ୍ତୋଷଜନକ ଜବାବ ରଖିପାରିନି ପାକ୍। ତେଣୁ ଏହାକୁ ବ୍ଲାକ୍‌ଲିଷ୍ଟ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ FATF ଉପରେ ଚାପ ସୃଷ୍ଟି ହୋଇଛି।

ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି ଆସନ୍ତା ମାସରେ ଏ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ହେବ। ଯେଉଁଥିରେ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ କରାଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ହେବ। ଯଦି, ପାକିସ୍ତାନ ବ୍ଲାକ୍ ଲିଷ୍ଟ ହୁଏ, ତେବେ ତା’ର ବାଣିଜ୍ୟିକ କାରବାର, ଆର୍ଥିକ ସ୍ତରରେ ସହାୟତା କ୍ଷେତ୍ରରେ ବାଧା ଉପୁଜିପାରେ।

ବର୍ତ୍ତମାନ ପାକିସ୍ତାନର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ରହିଛି। ଅଟୋ ସେକ୍ଟର୍ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁଥିରେ ମାନ୍ଦାବସ୍ଥା। ଏପରିକି ସାଧାରଣ ପନିପରିବା ଦର ବି ଆକାଶ ଛୁଆଁ ହୋଇଛି। ତେବେ ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ବ୍ଲାକ୍‌ଲିଷ୍ଟ୍‌ରେ ସ୍ଥାନ ପାଏ, ତା’ର ଅବସ୍ଥା ଯେ କଣ ହେବ ତାହା ସ୍ପଷ୍ଟ ଅନୁମେୟ।

ପୂର୍ବରୁ FATFର ଗ୍ରେ’ ଲିଷ୍ଟ୍‌ରେ ସ୍ଥାନ ପାଇଥିବା ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ସମୟ ଦିଆଯାଇଥିଲା।  ଏଥିପାଇଁ ୨୭ଟି ଆକ୍ସନ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏସିଆ ପେସିଫିକ୍ ଗ୍ରୁପ୍‌ ଅନୁସାରେ ୧୮ଟି ଆକ୍ସନ୍‌ ପ୍ଲାନ୍‌ ଉପରେ ପାକିସ୍ତାନର କାର୍ଯ୍ୟ ସନ୍ତୋଷଜନକ ହୋଇପାରିନି।

ପ୍ରକାଶ ଥାଉକି, ଏସିଆ ପେସିଫିକ୍ ଗ୍ରୁପ୍‌  ହେଉଛି ଏମିତି ଏକ ସଂସ୍ଥା ଯାହା ମନି ଲଣ୍ଡ୍ରିଂ, ଟେର୍‌ର ଫାଇନାନ୍‌ସିଙ୍ଗ୍, ଘାତକ ଅସ୍ତ୍ରଶସ୍ତ୍ର କିଣିବା ଉପରେ ହେଉଥିବା ଆର୍ଥିକ କାରବାର ଉପରେ ନଜର ରଖିଥାଏ। ଏହି ସଂସ୍ଥାର ରିପୋର୍ଟ ଆଧାରର FATF କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ସେହିଭଳି FATF ହେଉଛି, ବିଶ୍ୱରେ ଆତଙ୍କବାଦୀଙ୍କ ଫଣ୍ଡିଂ ଉପରେ ନଜର ରଖୁଥିବା ଏକ ଅନ୍ତର୍ଜାତୀୟ ସଂସ୍ଥା।

FATFର ୩୬ ସଦସ୍ୟ ମଧ୍ୟରୁ ଯଦି ୧୫ ସଦସ୍ୟ ବିରୋଧରେ ଭୋଟ୍‌ ଦିଅନ୍ତି ତେବେ ପାକିସ୍ତାନ ଏହି ଲିଷ୍ଟରୁ ସମ୍ପୂର୍ଣ୍ଣ ବାହାରିଯିବ। ଆଉ ଏହାକୁ ରୋକିବା ପାଇଁ ପାକିସ୍ତାନକୁ ୩ ସଦସ୍ୟକୁ ଭୋଟ୍‌ ଆବଶ୍ୟକ।

You might also like