• translate
Prangyan Parimita

ଡେରାଡୁନ୍ : ଉତ୍ତରାଖଣ୍ଡ ବିଜେପିରେ ଫାଟ । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂ ରାୱତ ।  ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତ୍ରିବେନ୍ଦ୍ର ସିଂ ରାୱତଙ୍କ କ୍ୟାବିନେଟର ମନ୍ତ୍ରୀ ଧନ ସିଂ ରାୱତ ବର୍ତ୍ତମାନ ସିଏମ୍ ରେସରେ ଆଗଧାଡ଼ିରେ ଅଛନ୍ତି।

ବିଜେପିରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧ କାରଣରୁ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ୨ ଦିନ ହେଲା ବିଜେପିର କେନ୍ଦ୍ରୀୟ ନେତୃତ୍ୱରେ ଉତ୍ତରାଖଣ୍ଡରେ ମାନସମନ୍ଥନ ଜାରି ରହିଥିଲା ।  ଏଥିରୁ ସ୍ପଷ୍ଟ ବାରିହେଉଥିଲା ଯେ, ଉତ୍ତରାଖଣ୍ଡ ରାଜନୀତିରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଶେଷରେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂହ ରାୱତ । ମୁଖ୍ୟମନ୍ତ୍ରୀଙ୍କ ଉପେକ୍ଷା ପାଇଁ ଆଗାମୀ ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି ବିଧାୟକମାନେ ଶୀର୍ଷ ନେତୃତୃ ସାମ୍ନାରେ ଫିଡ଼ବ୍ୟାକ୍ ଦେଇଥିଲେ।

ଇସ୍ତଫା ଦେବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅନେକ ସମୟ ଧରି ରାଜନୀତି କରୁଛି। ଉତ୍ତରାଖଣ୍ଡର ସେବା କରିବାକୁ ଦଳ  ୪ ବର୍ଷର ସୁବର୍ଣ୍ଣ ସୁଯୋଗ ମିଳିଥିଲା। ମୁଁ ଭାବିନଥିଲି ମୋତେ ଏପରି ଅବସର ପ୍ରଦାନ କରିବ ଦଳ।  ବର୍ତ୍ତମାନ ଦଳ ଏହି ଗୁରୁ ଦାୟିତ୍ୱ ଅନ୍ୟ ନେତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି । ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି । କାଲି ନୂଆ ନେତା ଚୟନ ହେବେ ବୋଲି ସେ କହିଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ମୋଟ୍ ୭୦ଟି ଆସନରୁ ବିଜେପି ୫୭ଟି ଆସନରେ ବିଜୟୀ ହୋଇଥିଲା। ଏହାପରେ ତ୍ରିଭେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଗତ କିଛି ମାସ ହେବ ତାଙ୍କ କାର୍ଯ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଥିଲା। ସୋମବାର  ରାତିରେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ତ୍ରିବେନ୍ଦ୍ର ସିଂହ ରାୱତ । ଉଭୟଙ୍କ ମଧ୍ୟରେ ପାଖାପାଖି ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।

Other Stories