ଆଜି ରାତି ୧୦ଟାରୁ ରାଜଧାନୀରେ ଲକ୍‌ଡାଉନ୍‌

  • ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ 
  • ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲାଗୁ ହେବ ଲକ୍‌ଡାଉନ୍‌ କଟକଣା
  • ପୂର୍ବରୁ ଦିଲ୍ଲୀରେ ୱିକ୍‌ଏଣ୍ଡ୍‌ କର୍ଫ୍ୟୁ ଲାଗୁ ହୋଇଥିଲା
  • ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ
  • ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ  ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ ହେବ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ।

ଲକ୍‌ଡାଉନ୍‌ ଘୋଷଣା ଅବସରରେ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଏବେ ଦୈନିକ ହାରାହାରି ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦୈନିକ ୨୫ ହଜାର ସଂକ୍ରମିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା କାଠିକର ପାଠ ହୋଇଛି। ଏହାଠାରୁ ଅଧିକ ହେଲେ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ। ଦିଲ୍ଲୀରେ ICU ବେଡ୍, ଅକ୍ସିଜେନର ଅଭାବ ଦେଖାଦେଲାଣି। ରେମଡେସିଭିର ବି ଅଭାବ ପରିଲକ୍ଷିତ ହେଲାଣି। ତେଣୁ ବହୁତ କଷ୍ଟରେ ଏଭଳି କଡ଼ା ପଦକ୍ଷେପ ନେବାକୁ ପଡୁଛି। ଏଥିପାଇଁ ଦିଲ୍ଲୀବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଉଛି।

ତେବେ ଦିଲ୍ଲୀ ଛାଡ଼ି ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଏହି ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁଧାର ଆଣିବାକୁ ପ୍ରୟାସ କରାଯିବ। ଏହି ସମୟରେ ବିଭିନ୍ନ ମେଡିକାଲ୍‌କୁ ଅକ୍ସିଜେନ୍, ମେଡିସିନ୍ ଯୋଗାଣ ତ୍ୱରାନ୍ୱିତ କରାଯିବ ବୋଲି କେଜ୍ରିୱାଲ୍ କହିଛନ୍ତି। ଦିଲ୍ଲୀରେ ଏବେ ଦୈନିକ ୧ ଲକ୍ଷ ଟେଷ୍ଟିଂ କରାଯାଉଛି। ତେବେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଇସିୟୁ ବେଡ୍ ସରିଗଲାଣି। ଏହାସହ ଅକ୍ସିଜେନ୍ ଓ ଔଷଧର ଅଭାବ ମଧ୍ୟ ପରିଲକ୍ଷିତ ହେଲାଣି। ପରିସ୍ଥିତି ଭଲ ଥିବାବେଳେ ସମସ୍ତଙ୍କୁ ବୁଝାଇଥିଲୁ ଓ ଆଜି ବି କହୁଛୁ ବୋଲି କେଜ୍ରିୱାଲ୍ କହିଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ଦିଲ୍ଲୀରେ ୱିକ୍‌ଏଣ୍ଡ୍‌ କର୍ଫ୍ୟୁ ଲାଗୁ ହୋଇଥିଲା। ହେଲେ ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା। ଫଳରେ ଆଜି ରାତିରୁ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ରବିବାର ଦିଲ୍ଲୀରେ ୨୫,୪୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ପଜିଟିଭ୍‌ ରେଟ୍‌ ପାଖାପାଖି ୩୦% ପହଞ୍ଚିଥିଲା। ସେହିପରି ଶନିବାର ଦିଲ୍ଲୀରେ ୨୪,୩୭୫ କରୋନା କେସ୍‌ ଥିବାବେଳେ ୧୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଦିଲ୍ଲୀର ହସ୍ପିଟାଲ୍‌ ଗୁଡ଼ିକରେ ୧୦୦ରୁ କମ୍‌ ଆଇସିୟୁ ବେଡ୍‌ ଉପଲ୍ଲବ୍ଧ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଥିଲା।

ସୂଚନାଥାଉ କି, ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୬୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୮ ହଜାର ୭୬୯ରେ ପହଞ୍ଚିଛି। ଏବେ ଦେଶରେ ଆକ୍ଟିଭ୍‌ କେସ୍ ରହିଛି ୧୯ ଲକ୍ଷ ୨୯ ହଜାର ୩୨୯।

You might also like