ଦେଶରେ ୧୪୯ ଜଣଙ୍କ ଜୀବନ ନେଲାଣି କୋଭିଡ୍‌-୧୯; ଗତକାଲି ଯାଇଛି ୩୨ ଜୀବନ

ନୂଆଦିଲ୍ଲୀ: ଘାତକ ମହାମାରୀ କୋଭିଡ୍‌-୧୯ ଦେଶରେ ୧୪୯ ଜଣଙ୍କ ଜୀବନ ନେଲାଣି।। କେବଳ ଗତକାଲି ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଗତ ୨୪ ଘଣ୍ଟା ଭିତରେ ଦେଶରେ ୭୭୩ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ପାଇଛି।

ସେହିପରି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ୪୦୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କୋଭିଡ୍-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତଙ୍କଠାରେ ମୃଦୁ ବା ଅତି ମୃଦୁ ସଂକ୍ରମଣର ଲକ୍ଷଣ ଦେଖାଦେଇଥାଏ। ତେଣୁ ସେହି ଅନୁଯାୟୀ କିଭଳି ଆମେ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ବିକାଶ କରିପାରିବା ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ କହିଛନ୍ତି।

କରୋନା ମୁକାବିଲା ନେଇ କ୍ଷେତ୍ର ସ୍ତରୀୟ ପ୍ରଶିକ୍ଷଣ ଉପରେ ସରକାର ଫୋକସ କରିଥିବା ସେ ସୂଚନା ଦେଇଛନ୍ତି। କୋଭିଡ-୧୯ ପରିଚାଳନା ପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏକ ଟ୍ରେନିଂ ମଡ୍ୟୁଲ ଆରମ୍ଭ କରିଛନ୍ତି। ଏହି ଅନଲାଇନ ଟ୍ରେନିଂ ମଡ୍ୟୁଲ ଦ୍ୱାରା କରୋନା ମୁକାବିଲା କରୁଥିବା ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷମତା ବୃଦ୍ଧି ପାଇଁ ସାଧନ ଉପଲବ୍ଧ ହୋଇପାରିବ।

You might also like