ପୋଲାଭରମ୍‌ ଜନଶୁଣାଣି ନେଇ କାଲି ସୁପ୍ରିମ୍‌କୋର୍ଟରେ ଶୁଣାଣି

କେନ୍ଦ୍ର ଅାଭିମୁଖ୍ୟ ବଦଳାଇବା ପରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ : ପୋଲାଭରମ ଜନଶୁଣାଣିକୁ ନେଇ ନୂଅା ଅଡୁଅା। ଅାସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ କେନ୍ଦ୍ରର ସାନି ସତ୍ୟପାଠ ପ୍ରସଙ୍ଗକୁ ଅଧିକ ଗୋଳିଅା କରିଛି। ଗତକାଲିର ସତ୍ୟପାଠରେ ୨୯ ନଭେମ୍ବରରେ ଦିଅାଯାଇଥିବା ସତ୍ୟପାଠକୁ  ତ୍ରୁଟିପୂର୍ଣ ଦର୍ଶାଇଛି କେନ୍ଦ୍ର। ଏଥିରେ ଜନଶୁଣାଣି ନେଇ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନତାରେ ଜନଶୁଣାଣି ହେବା ଦରକାର ବୋଲି କେନ୍ଦ୍ର କହିଛି।

ପୋଲାଭରମ ପ୍ରକଳ୍ପ ପାଇଁ ପ୍ରଭାବିତ ଅଂଚଳରେ ଜନଶୁଣାଣି ପାଇଁ ଉଭୟ ଓଡିଶା ଓ ଛତିଶଗଡକୁ ପୂର୍ବରୁ ୪ଥର ଚିଠି ଲେଖାଯାଇଥିଲା। ତେବେ ଏନେଇ ଉଭୟ ରାଜ୍ୟ ଅାଗ୍ରହ ପ୍ରକାଶ କରି ନଥିବା କେନ୍ଦ୍ର ସତ୍ୟପାଠରେ ଦର୍ଶାଇଛି।

ସେହିପରି ଓଡିଶା ୨୦୧୬ ଜୁଲାଇ ୧୯ ଓ ୨୦୧୭ ସେପ୍ଟେମ୍ବର ୨୫ରେ କେନ୍ଦ୍ରକୁ ଚିଠି ଲେଖି ଜନ ଶୁଣାଣି ନେଇ ନିଜ ଅସାମର୍ଥ୍ୟ ପ୍ରକାଶ କରିଥିଲା। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଜନଶୁଣାଣି ସମ୍ଭବ ନୁହେଁ ବୋଲି ୨୦୧୭ ଅକ୍ଟୋବର ୧୦ ଓ ୨୦୧୮ ଏପ୍ରିଲ ୧୨ରେ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଥିଲା। ତେବେ ପ୍ରଭାବିତ ଅଂଚଳ ସଂପର୍କରେ ତଥ୍ୟ ନଥିବାରୁ ରାଜ୍ୟ ସରକାର ଜନଶୁଣାଣିକୁ ଟାଳୁଥିବା ବିଜେପି ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଦୋମୁହାଁ ନୀତିକୁ ଦୋଷ ଦେଇଛି ବିଜେଡି।

ଏପଟେ ବିଶେଷଜ୍ଞଙ୍କ ମତ ପ୍ରଭାବିତ ଅଂଚଳକୁ ନେଇ ଏବେ ବି ଦ୍ୱନ୍ଦ ରହିଛି। ଗୋପାଳକୃଷ୍ଣ କମିଟିର ତଥ୍ୟରେ ପରିବର୍ତ୍ତନ ହୋଇଥିବାରୁ ନିର୍ଦ୍ଦିଷ୍ଟ ଭାବେ ଓଡିଶାର କେତେ ଅଂଚଳ ପ୍ରଭାବିତ ହେବ ସେନେଇ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଇବା ଅାବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ।

ପୋଲାଭରମ ଡ୍ୟାମ୍‌ର ଉଚ୍ଚତା ବୃଦ୍ଧି ଓ ଅାନ୍ଧ୍ରପ୍ରଦେଶ ଏକଚାଟିଅା ଭାବେ ପ୍ରକଳ୍ପ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର। ତେବେ ଜନ ଶୁଣାଣି ନେଇ କୋର୍ଟ  ଅାସନ୍ତାକାଲି କି ନିଷ୍ପତ୍ତି ନେଉଛନ୍ତି। ଏବେ ତା ଉପରେ ନଜର।

You might also like