TMC କର୍ମୀଙ୍କ ହିଂସାକାଣ୍ଡକୁ ନେଇ କାଲି ଧାରଣା ଦେବ ବିଜେପି

ଆନ୍ଦୋଳନ କରିବ ବିଜେପି

ପଶ୍ଚିମବଙ୍ଗ: ନିର୍ବାଚନ ଫଳ ଘୋଷଣା ପରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡକୁ ନେଇ ଆସନ୍ତାକାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି। ରାଜ୍ୟର ବିଭିନ୍ନ ସ୍ଥାନରେ ଟିଏମସି କର୍ମୀ ହିଂସାକାଣ୍ଡ କରି ବିଜେପି କର୍ମୀ ଓ ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳର ସମସ୍ତ ସାଙ୍ଗଠନିକ ମଣ୍ଡଳରେ ଏହି ଧାରଣା ପ୍ରଦର୍ଶନ ହେବ। କୋଭିଡ ନିୟମ ପାଳନ କରି ଏହି ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେହିଭଳି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡର ଖବର ପରେ ଆଜିଠୁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ହିଂସାକାଣ୍ଡରେ ମୃତାହତ ବିଜେପି କର୍ମୀ ଓ ପରିବାରଲୋକଙ୍କୁ ଭେଟିବେ ନଡ୍ଡା। ନିର୍ବାଚନ ଫଳ ବାହାରିବ ପରେ ଏହା ନଡ୍ଡାଙ୍କ ପ୍ରଥମ ଗସ୍ତ। ନିର୍ବାଚନ ଫଳାଫଳ ବାହାରିବା ପରେ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବରେ ଟିଏମସି କର୍ମୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଟିଏମ୍ସି କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାପୋଡ଼ା ଓ ହିଂସାକାଣ୍ଡ ଭିଆଇଥିବା ଘଟଣା ସାମ୍ନାକୁ ଆସିଛି।ଆରାମବାଗରେ ବିଜେପି ଅଫିସରେ ନିଆଁ ଲଗାଇ ଦେଇଥିଲେ ଟିଏମସି କର୍ମୀ। ସେହିଭଳି ବେଲାଘାଟରେ ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ସହ ଶିବପୁର, ଦୁର୍ଗାପୁରରେ ଆକ୍ରମଣ ହୋଇଥିବା ଖବର ମିଳିଥିଲା। ଏପରିକି ବିଜୟ ଉତ୍ସବ ବେଳେ ବିଜେପି କର୍ମୀଙ୍କ ଘରକୁ ଯାଇ ହମଲା କରିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

ସେପଟେ ସମସ୍ତଙ୍କୁ ଚକିତ କରିଦେଲା ବଙ୍ଗ ଫଳ। ଦଳ ଜିତିଲା କିନ୍ତୁ ସଭାପତି ହାରିଲେ। ମୋଟ୍‌ ଉପରେ କହିବାକୁ ଗଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ବିପୁଳ ମାତ୍ରାରେ ଭୋଟ୍‌ ମିଳିଛି। କିନ୍ତୁ ବିଧାନସଭା ନିର୍ବାଚନରେ ​​ତୃଣମୂଳ କଂଗ୍ରେସ ବିଜେପିକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ହାରି ଯାଇଛନ୍ତି। ନିଜର ପାରମ୍ପାରିକ ଆସନ ଭବାନୀପୁରକୁ ଛାଡି ଚଳିତଥର ଦିଦି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏହି ଆସନରୁ ବିଜେପିର ପ୍ରାର୍ଥୀ ଥିଲେ ଶୁଭେନ୍ଦୁ ଅଧିକାରୀ। ସାରା ଦେଶର ଏହି ଆସନ ଉପରେ ନଜର ରହିଥିଲା।

କାରଣ ଖୋଦ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଆସନରୁ ନିର୍ବାଚନ ଲଢୁଥିଲେ। ବଙ୍ଗରେ ସିଧାସଳଖ ମୋଦି-ଦିଦି ମଧ୍ୟରେ ଫାଇଟ୍‌ ଚାଲିଥିଲା।କଳେ ବଳେ କୌଶଳେ ଦିଦିଙ୍କ ହାତରୁ ଗଡ଼ ଛଡାଇ ନେବା ଲାଗି ବିଜେପି ଚେଷ୍ଟା କରିବା ପରେ ବି ବିଫଳ ହୋଇଛି। କିନ୍ତୁ ରୋଚକ କଥା ଦିଦି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେପଟେ ଗତକାଲି ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ ମମତା। ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ । ରାଜ୍ୟରେ କ୍ରମାଗତ ତୃତୀୟ ଥର ପାଇଁ ଶାସନ ଗାଦି ସମ୍ଭାଳିବାକୁ ଯାଉଛନ୍ତି ଦିଦି ।

You might also like