ଏଥର ବାତିଲ୍‌ ହୋଇଯିବ କି ଟୋକିଓ ଅଲିମ୍ପିକ୍ସ?

କଣ ହେବ ଅଲିମ୍ପିକ୍ସ?

ନୂଆଦିଲ୍ଲୀ: ବାତିଲ ହେବ କି ଟୋକିଓ ଅଲିମ୍ପିକ୍ସ? ଜାପାନରେ କରୋନା ସଂକ୍ରମଣର ଚତୁର୍ଥ ଲହର ଉଗ୍ର ରୂପ ଧାରଣ କରିଥିବା ବେଳେ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରଖିବାକୁ ଦାବି ଜୋର ଧରିଛି ଦେଶର ୬୦ ପ୍ରତିଶତ ଲୋକ କ୍ରୀଡ଼ା ବାତିଲ ସପକ୍ଷରେ ମତ ଦେଇଥିବା ବେଳେ, ୮୦ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯିବା ଦରକାର ବୋଲି କହିଛନ୍ତି। ତେବେ ଅଲିମ୍ପିକ୍ସ ହେବ ନାହିଁ ବୋଲି ଚାଲିଥିବା ଚର୍ଚ୍ଚାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଖଣ୍ଡନ କରିଆସୁଛନ୍ତି।

୨୦୨୦ରେ ଆୟୋଜନ ହେବାର ଥିଲା ଟୋକିଓ ଅଲିମ୍ପିକ୍ସ। ତେବେ କରୋନା ମହାମାରୀ ଆରମ୍ଭ ହୋଇଯିବାରୁ, ଏହାକୁ ବର୍ଷକ ଲାଗି ସ୍ଥଗିତ ରଖାଯାଇଥିଲା। ତେବେ ଚଳିତ ବର୍ଷ ଜୁଲାଇ ୨୩ରୁ ଏହା ଆରମ୍ଭ ହେବାକୁ ଯୋଜନା ଥିବା ବେଳେ, ପୁଣି କ୍ରୀଡ଼ା ଆୟୋଜନକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ତେବେ କୌଣସି ପରିସ୍ଥିତିରେ କ୍ରୀଡ଼ା ବାତିଲ ହେବନି ବୋଲି ସ୍ପଷ୍ଟ କରିଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ବା IOC। ସଭାପତି ଥୋମାସ ବାଚ୍ କାରଣ IOC ହିଁ ହେଉଛି ଏହି କ୍ରୀଡ଼ାର ମାଲିକ। କ୍ରୀଡ଼ା ଆୟୋଜନ ଲାଗି ଜାପାନ ସହିତ କେବଳ ଚୁକ୍ତି ହୋଇଛି। ତେଣୁ ଚୁକ୍ତି ଉଲ୍ଲଙ୍ଘନ କରି ଜାପାନ ଯଦି କ୍ରୀଡ଼ା ବାତିଲ କରେ ତେବେ ଏହାକୁ ବିପୁଳ କ୍ଷତି ସହିବାକୁ ପଡିବ।

ସେହିପରି IOC ସହମତିରେ ଯଦି କ୍ରୀଡ଼ା ବାତିଲ ହୁଏ, ସେ କ୍ଷେତ୍ରରେ ବି ଜାପାନ ଆର୍ଥିକ ଦୃଷ୍ଟିରୁ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। କାରଣ ଏହାର ଆୟୋଜନ ଲାଗି ଏଭିତରେ ବିପୁଳ ଅର୍ଥ ଖର୍ଚ୍ଚ କରିସାରିଲାଣି ଜାପାନ। ଅଲିମ୍ପିକ୍ସ ଆୟୋଜନ ନହେଲେ ଏହି ଅର୍ଥ ବୁଡିଯିବ। ଏପଟେ ୟୁରୋପୀୟ ସଂଘ ଟୋକିଓ ଅଲିମ୍ପିକ୍ସ ଆୟୋଜନର ଦୃଢ ସମର୍ଥନ କରିଛି କ୍ରୀଡ଼ା ଆୟୋଜନ ବିଶ୍ୱବ୍ୟାପୀ ମନୋବଳକୁ ଦୃଢ କରିବା ସହ କରୋନା ବିରୋଧୀ ଲଢେଇକୁ ବଳ ଯଗାଇବା ବୋଲି କହିଛନ୍ତି ୟୁରୋପୀୟ କମିଶନର ମୁଖ୍ୟ ଭ୍ୟାଣ୍ଡର ଲେୟିନ୍। ଅଲିମ୍ପିକ୍ସ ଲାଗି ୟୁରୋପୀୟ ସଂଘ ୧୦ କୋଟି ଟିକା ଯୋଗାଇ ଦେବ ବୋଲି ସେ କହିଛନ୍ତି।

ଆଗକୁ ରହିଛି ଜାପାନ ନିର୍ବାଚନ। ସିଞ୍ଜୋ ଆବେଙ୍କ ଠାରୁ କ୍ଷମତା ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ପାଇଁ ଏହା ପ୍ରଥମ ଅଗ୍ନି ପରୀକ୍ଷା। ଅଲିମ୍ପିକସ ସ୍ଥଗିତ ରଖିବା ଲାଗି ୮୦ ପ୍ରତିଶତ ଲୋକ ମତ ଦେଉଥିବାରୁ, ଧର୍ମ ସଂକଟରେ ପ୍ରଧାନମନ୍ତ୍ରୀ। କାରଣ କ୍ରୀଡ଼ା ଆୟୋଜନ ହେଲେ ଓ ଏହାପରେ ଯଦି ସଂକ୍ରମଣ ଅଧିକ ହୁଏ ତେବେ ଜନତାଙ୍କ ରୋଷର ଶିକାର ହେବାକୁ ପଡିପାରେ। ତେଣେ ଅଲିମ୍ପିକ୍ସ ଭଳି ବିଶ୍ୱକ୍ରୀଡ଼ାକୁ ବାତିଲ ବା ସ୍ଥଗିତ ରଖିବା ନିଷ୍ପତ୍ତି ବି କିଛି ଛୋଟ କଥା ନୁହେଁ। କାରଣ ଏଥିରେ ଯୋଡି ହୋଇ ରହିଛି ବିଶ୍ୱ ସମୁଦାୟ ପ୍ରତି ଉତ୍ତରଦାୟିତ୍ୱ। ଅନ୍ତର୍ଜାତୀୟସ୍ତରରେ ଦେଶର ଗାରିମା ରକ୍ଷା ଏବଂ କ୍ରୀଡା ସହ ସଂଶ୍ଳିଷ୍ଟ ବ୍ୟବସାୟିକ ସ୍ୱାର୍ଥ କ୍ରୀଡ଼ା ଆୟୋଜନରେ କୋଟି କୋଟି ଡଲାର ଅର୍ଥ ବ୍ୟୟ ହେଉଥିବାରୁ ଏହାକୁ ବାତିଲ କରିବା ନିଷ୍ପତ୍ତି ସହଜ ନୁହେଁ।

କରୋନା ବାୟୁରେ ବ୍ୟାପୁଥିବା ନେଇ ଜାପାନ ବିଶେଷଜ୍ଞ ପ୍ରଥମରୁ ହିଁ ଆକାଳନ କରିପାରିଥିଲେ। ତେଣୁ ମାସ୍କ ଓ ସାନିଟାଇଜରକୁ ଉତ୍ସାହିତ କରାଯିବା ସହ କଟକଣାକୁ କଡ଼ାକଡ଼ି କରାଯାଇଥିଲା। ଫଳରେ ଜାପାନରେ ଏପର୍ଯ୍ୟନ୍ତ ୧୨ ହଜାରରୁ କମ୍ ଜୀବନ ଯାଇଛି। ଏହାସତ୍ତ୍ୱେ ପଡୋଶୀ ଦକ୍ଷିଣ କୋରିଆ ଓ ତାଇଓ୍ୱାନ୍ ତୁଳନାରେ ଜାପାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଖାସ୍ କରି ଦେଶରେ ଟିକାକରଣ ପ୍ରକ୍ରିୟା ଅତି ଶିଥିଳ ଗତିରେ ଚାଲିଛି। ଦେଶର ୪ ପ୍ରତିଶତ ଜନସାଧାରଣଙ୍କୁ ଏଯାଏଁ ଟିକା ଦିଆଯାଇଛି। ଦେଶରେ ଏବେବି କରୋନା ସଂକ୍ରମଣ ବଢୁଥିବାରୁ ଏତେ ସଂଖ୍ୟକ ବିଦେଶୀ ଖେଳାଳି ଓ ଅଫିସିଆଲଙ୍କ ଉପସ୍ଥିତି ସ୍ଥିତିକୁ ବିଗାଡି ପାରେ ବୋଲି ଜାପାନ ଜନସାଧାରଣ ଆଶଙ୍କା କରୁଛନ୍ତି।

ଅଭୂତପୂର୍ବ ସତର୍କତା ଭିତରେ ଆୟୋଜିତ ହେବ ବିଶ୍ୱର ସର୍ବବୃହତ କ୍ରୀଡ଼ା ମହୋତ୍ସବ ଅଲିମ୍ପିକ୍ସ। ଏଥିରେ ଭାଗ ନେବାକୁ ଥିବା ସବୁ ଆଥଲେଟଙ୍କ ଟିକାକରଣ କରାଯିବ। ଏଥିପାଇଁ ଫାଇଜର ସହ ଚୁକ୍ତି ହୋଇଛି। ତେବେ ସେମାନଙ୍କ ସହ ଆସୁଥିବା ଅଫିସିଆଲଙ୍କୁ ଟିକା ଦିଆଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନି। ଯଦି କୌଣସି ଭେନ୍ୟୁକୁ ଦର୍ଶକଙ୍କୁ ଅନୁମତି ମିଳେ, ତେବେ କେବଳ ଜାପାନୀ ଦର୍ଶକ ହିଁ ଯାଇପାରିବେ। କାରଣ ଅନ୍ତର୍ଜାତୀୟ ଦର୍ଶକଙ୍କୁ ପ୍ରଥମରୁ ସେଠାକୁ ବାରଣ କରାଯାଇଛି। ସେହିପରି ଆଥଲେଟ୍‌ମାନେ ମଧ୍ୟ ଅନ୍ୟମାନଙ୍କ ସହ ମିଳାମିଶା କରିପାରିବେ ନାହିଁ। ତେବେ କରୋନା ନିୟମର କଡ଼ାକଡ଼ି ପାଳନ ସତ୍ତ୍ୱେ କେଉଁ ଦେଶର ଆଥଲେଟ୍ ଓ ଅଫିସିଆଲ କେଉଁ ଭାରିଆଣ୍ଟ୍ ଭୂତାଣୁ ନେଇ ଜାପାନ ଆସିବେ ତାକୁ ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ କ୍ରୀଡ଼ା ଆୟୋଜନ ସମୟରେ ଯଦି ସଂକ୍ରମଣ ନବଢ଼େ ଓ ଅଲମ୍ପିକ୍ସ ସଫଳ ହୁଏ ତେବେ ଜାପାନ ରାଜନୀତିରେ ସୁଗାଙ୍କ ସ୍ଥିତ ମଜବୁତ ହେବ। ମାତ୍ର କ୍ରୀଡ଼ା ଆୟୋଜନ ଯୋଗୁଁ ଯଦି ସଂକ୍ରମଣ ବଢ଼େ ତେବେ ବ୍ରୋଞ୍ଜ୍ ମେଡାଲ ତ ଦୂରର କଥା, ଜାପାନବାସୀ ସୁଗାଙ୍କୁ ସିଧାସଳଖ ବାହାର ଦରଓ୍ୱାଜା ଦେଖାଇ ଦେବେ ବୋଲି ଚର୍ଚ୍ଚା ହେଉଛି।

କରୋନା କାଳରେ ଅଲିମ୍ପିକ୍ସ ଭଳି ବିଶାଳ ଆୟୋଜନ ସାରା ବିଶ୍ୱ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। କାରଣ ଅଲିମ୍ପିକ୍ସ ସହ ଯୋଡି ହୋଇ ରହିଛି ଅନେକ ଐତିହାସିକ ଘଟଣା। ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ନେଇ ସାରା ବିଶ୍ୱରେ ଜାପାନ ଛବି ଖରାପ ହୋଇଥିଲା। ମାତ୍ର ୧୯୬୪ରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରି ଜାପାନ ବିଶ୍ୱକୁ ନିଜ ଆର୍ଥିକ ବଳ ଦେଖାଇବା ସହ, କୁଟନୈତିକସ୍ତରରେ ପତିଆରା ବି ବୃଦ୍ଧି କରିପାରିଥିଲା। ୨୦୦୮ରେ ବେଜିଂ ଅଲିମ୍ପିକ୍ସ ଆୟୋଜନ କରି ଚୀନ ବିଶ୍ୱ ଦରବାରରେ ନିଜ ଆବିର୍ଭାବର ସୂଚନା ପ୍ରଦାନ କରିଥିଲା। ୨୦୧୮ ଓ୍ୱିଣ୍ଟର ଅଲିମ୍ପିକ୍ସରେ ଦୁଇ ପରମ ଶତ୍ରୁ ଉତ୍ତର ଓ ଦକ୍ଷିଣ କୋରିଆ ଗୋଟିଏ ପତାକା ତଳେ ମାର୍ଚ୍ଚ କରିବା ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ତେବେ ଆସନ୍ନ ଟୋକିଓ ଅଲମ୍ପିକ୍ସ ସାରା ବିଶ୍ୱରେ ଜାପାନ ସ୍ଥିତିକୁ ଆହୁରି ମଜଭୂତ କରିବ ବୋଲି ଆଶା କରାଯାଉଛି।

You might also like