ଆଜି ଅମିତ ଶାହଙ୍କ ଭର୍ଚୁଆଲ ରାଲି; ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ:ଆଜି ଅପରାହ୍ଣ ସାଢେ ୩ଟାରେ ଓଡ଼ିଶାବାସୀଙ୍କୁ ଭର୍ଚୁଆଲ ରାଲି ମାଧ୍ୟମରେ ଗୃହ ମନ୍ତ୍ରୀ ଅମିତ ଶାହ ସମ୍ବୋଧିତ କରିବେ। ୩୭ ହଜାର ବୁଥ୍ ସ୍ତରୀୟ କର୍ମୀଙ୍କୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ, ଗରିବ କଲ୍ୟାଣ ଯୋଜନା, ଆତ୍ମନିର୍ଭର ପାଇଁ ସଂକଳ୍ପ, ସ୍ଥାନୀୟ ସାମଗ୍ରୀର ପ୍ରୋତ୍ସାହନ ଆଦି ପ୍ରସଙ୍ଗରେ କହିବା ସହ କୋଭିଡ୍ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପ୍ରୋତ୍ସାହିତ କରିବେ।

ଏପଟେ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସ କଟାକ୍ଷ କରି କହିଛି, ଓଡ଼ିଶା ପାଇଁ କଣ କରିଛି କେନ୍ଦ୍ର ? ନିଜେ ଲକଡାଉନ, ସଟଡାଉନ ଘୋଷଣା କରିଥିବା ବେଳେ କିଭଳି ଭାବେ ପ୍ରଚାର କରିବେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଅନ୍ୟପକ୍ଷେ ବିଭିନ୍ନ ରାଜନୈତିକ ଦଳର ନିଜସ୍ୱ ରାଜନୈତିକ କାର୍ଯ୍ୟକ୍ରମ ରହିଛି, ତେଣୁ ଏନେଇ କୌଣସି ମନ୍ତବ୍ୟ ଦେବା ଠିକ ହେବନି ବୋଲି କହିଛି ବିଜେଡି ।

କଂଗ୍ରେସର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଭର୍ଚୁଆଲ ରାଲିର ଆଗେ ମାନେ ବୁଝୁ କଂଗ୍ରେସ । ପରେ ମନ୍ତବ୍ୟ ଦେବେ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ।

ସୂଚନାଥାଉ କି, ଅମିତ୍‌ ଶାହଙ୍କ ପ୍ରଥମ ଭର୍ଚୁଆଲ ରାଲି ରବିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ରାଲିରେ ବିହାରବାସୀଙ୍କୁ ସମ୍ବୋଧନ କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ।

You might also like