ଦିନ ମଜୁରିଆଙ୍କ ପତ୍ନୀ ହେଲେ ବିଧାୟିକା, ରହୁଛନ୍ତି ଚାଳ ଘରେ

କୋଲକାତା: ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇଛି। ୨୯୨ଟି ଆସନରୁ ଟିଏମ୍‌ସିକୁ ୨୧୩ ଆସନ ମିଳିଛି। ତେବେ ସବୁ ଚେଷ୍ଟା, ସବୁ କସରତ ସତ୍ତ୍ୱେ ବଙ୍ଗ ଅଧିକାର କରିବାରେ ବିଫଳ ହୋଇଛି ବିଜେପି। ବିଜେପିକୁ ମାତ୍ର ୭୭ଟି ଆସନ ମିଳିଛି। ଯଦିଓ ପଶ୍ଚିମବଙ୍ଗରେ ଟିଏମ୍‌ସିର ବିପୁଳ ବିଜୟ ହୋଇଛି, ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ଚର୍ଚ୍ଚାରେ ରହିଛି। ନନ୍ଦିଗ୍ରାମରେ ବିଜେପିର ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ୧,୭୩୬ ଭୋଟରେ ପରାସ୍ତ କରିଥିବା ବେଳେ ସାଲତୋରାରେ ବିଜେପିର ଚନ୍ଦନା ବାଉରୀ ଟିଏମ୍‌ସିର ସନ୍ତୋଷ କୁମାରଙ୍କୁ ହରାଇ ବାଜି ମାରି ନେଇଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଜଣେ ଦିନ ମଜୁରିଆଙ୍କ ପତ୍ନୀ ହେଉଛନ୍ତି ଚନ୍ଦନା।

ମିଳିଥିବା ସୂଚନା ଅନୁସାରେ, ଚାଳ ଘରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ପତ୍ନୀ ହେଉଛନ୍ତି ଚନ୍ଦନା। ତାଙ୍କର ସମ୍ବଳ କହିଲେ ମାତ୍ର ୩୧ ହଜାର ୯୮୫ ଟଙ୍କା। ଆଜି ବି ସେ ଚାଳ ଘରେ ରହୁଛନ୍ତି। ତାଙ୍କ ପାଖରେ ୩ଟି ଛେଳି ଓ ୩ଟି ଗାଈ ଅଛି।

ବିଜେପି ଟିକେଟ୍‌ରେ ସାଲତୋରା ସିଟ୍‌ରେ ନିର୍ବାଚନ ଲଢ଼ିଥିବା ଚନ୍ଦନା ଟିଏମ୍‌ସିର ସନ୍ତୋଷ କୁମାରଙ୍କୁ ହରାଇଛନ୍ତି।ଚନ୍ଦନାଙ୍କୁ ୯୧,୬୪୮ ଭୋଟ୍‌ ମିଳି ଥିବାବେଳେ ଟିଏମ୍‌ସିର ସନ୍ତୋଷଙ୍କୁ ୮୭,୫୦୩ ଭୋଟ୍‌ ମିଳିଥିଲା। ୪୧୪୫ ଭୋଟ୍‌ରେ ଚନ୍ଦନା, ସନ୍ତୋଷଙ୍କୁ ହରାଇଛନ୍ତି।

ଚନ୍ଦନାଙ୍କ ପାଖରେ ଜମି ବୋଲି କିଛି ନାହିଁ। ଚନ୍ଦନାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ମଜୁରି ଖଟି ଯେତିକି ଟଙ୍କା ଆସେ ସେଥିରେ ଘର ଚଳେ। ଚନ୍ଦନା ମଧ୍ୟ ସ୍ୱାମୀଙ୍କ ସହ କାମକୁ ଯାଇଥାନ୍ତି ଓ ତାଙ୍କୁ ସାହାଯ୍ୟ କରିଥାନ୍ତି। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚନ୍ଦନା ପାଠ ପଢ଼ିଛନ୍ତି ଓ ତାଙ୍କ ସ୍ୱାମୀ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି।

ଗତ ମାର୍ଚ୍ଚରେ ସେ ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇ କହିଥିଲେ, ‘ଟିକେଟ୍ ଘୋଷଣା ପୂର୍ବରୁ ମୁଁ କେବେ ଭାବି ନଥିଲି, ବିଧାନସଭା ନିର୍ବାଚନ ପାଇଁ ମୋତେ ପ୍ରାର୍ଥୀ କରାଯିବ। ନାମାଙ୍କନ ପାଇଁ ମୋତେ ଅନ୍‌ଲାଇନ୍‌ରେ ଆବେଦନ କରିବା ଲାଗି ଅନେକ ଲୋକ ପ୍ରୋତ୍ସାହିତ କରିଥିଲେ। ହେଲେ ମୋତେ ଲାଗୁ ନଥିଲା ଯେ, ଏସବୁ ମୁଁ ହାସଲ କରିପାରିବି’।

ସେପଟେ ଚନ୍ଦନା ବାଉରୀଙ୍କ ବିଜୟଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କିଛି ପିଲିଟିକାଲ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ଓ ଅର୍ଥ ବଳ ନଥାଇ ମଧ୍ୟ ଜଣେ ସାଧାରଣ ମହିଳାଙ୍କ ବିଜୟ ହୋଇଛି।

You might also like