କୋଲକାତା: ନିଜକୁ IAS ଅଫିସର ଦର୍ଶାଇ କୋଲକାତାରେ ହଜାର ହଜାର ଟିକାକରଣର ଆୟୋଜନ କରିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ନାଁ ଦେବଞ୍ଜନ ଦେବ। ସେ ଆୟୋଜନ କରିଥିବା ଏକ କ୍ୟାମ୍ପରେ ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ଟିକା ନେଇଥିଲେ। ବୁଧବାର ଦେବଞ୍ଜନଙ୍କୁ ପୋଲିସ୍‌ ଗିରଫ କରିଛି। ପ୍ରଶ୍ନ ଉଠୁଛି, ଲୋକମାନଙ୍କୁ ଦିଆଯାଇଥିବା ଟିକା ଅସଲି ଥିଲା ନା ନକଲି ? ଏହି ଫେକ୍‌ ଭ୍ୟାକ୍‌ସିନେସନ୍‌(ନକଲି ଟିକାକରଣ) ସମ୍ପର୍କରେ ଜଣାପଡ଼ିବା ପରେ ଏବେ ଏହାକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି।

ଟିକା ନେବା ପରେ କୌଣସି ଅଫିସିଆଲ୍‌ କନ୍‌ଫରେମସନ୍‌ ନଆସିବା ଯୋଗୁ ମିମି ଚକ୍ରବର୍ତ୍ତୀ ଏନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ ଓ ଏହାପରେ ପୁରା ଘଟଣାର ଖୁଲାସା ହୋଇଥିଲା। ଦେବଞ୍ଜନ ଆୟୋଜନ କରିଥିବା ଏକ ଟିକାକରଣ କ୍ୟାମ୍ପରେ ମିମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଲୋକଙ୍କୁ କରୋନା ଟିକା ନେବା ପାଇଁ ଉତ୍ସାହିତ କରିବା ପାଇଁ ମିମି ନିଜେ ସେଇ କ୍ୟାମ୍ପରେ ଟିକା ନେଇଥିଲେ। ଯେଉଁଠାରେ ପାଖାପାଖି ୨୫୦ ଜଣ ଲୋକ ଟିକା ନେଇଥିଲେ ବୋଲି ସୂଚନା ମିଳିଛି।

ଦେବଞ୍ଜନ ନିଜକୁ IAS ଅଫିସର ବୋଲି ପରିଚୟ ଦେଇ ମିମିଙ୍କୁ ଭ୍ୟାକ୍ସିନେସନ୍‌ କ୍ୟାମ୍ପକୁ ନିମନ୍ତ୍ରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। କୋଲକାତା ମ୍ୟୁନିସିପାଲ୍‌ କର୍ପୋରେସନ୍‌ ଦ୍ୱାରା ଏହି କ୍ୟାମ୍ପ ଅର୍ଗାନାଇଜ୍‌ କରାଯାଇଥିବା ଦେବଞ୍ଜନ କହିଥିଲେ। ଦିବ୍ୟାଙ୍ଗ ଓ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଡ୍ରାଇଭ ଆୟୋଜନ ହେଉଛି। ତେଣୁ ଉପସ୍ଥିତ ରହିବା ପାଇଁ ଦେବଞ୍ଜନ, ତାଙ୍କୁ କହିଥିଲେ ବୋଲି ମିମି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ କହିଛନ୍ତି।

ମିମି କହିଛନ୍ତି, ‘କରୋନା ଟିକା ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କ୍ୟାମ୍ପରେ ମୁଁ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ ନେଇଥିଲି। ହେଲେ ଭ୍ୟାକ୍‌ସିନ୍‌ ନେବା ପରେ ମୁଁ କୋୱିନ୍‌ରୁ କୌଣସି ମେସେଜ୍‌ ପାଇନଥିଲି। ଏପରିକି କୋୱିନ୍‌ରେ ରେଜିଷ୍ଟର ପାଇଁ ଲୋକଙ୍କ ପାଖରୁ ଆଧାର କାର୍ଡର ତଥ୍ୟ ନିଆଯାଇ ନଥିଲା। ତେଣୁ ଭ୍ୟାକ୍‌ସିନ୍‌ ନେବା ପରେ କାହା ପାଖକୁ ବି ମେସେଜ୍‌ ଯାଇ ନଥିଲା।’ ତେଣୁ ସନ୍ଦେହ ହେବାରୁ ପୋଲିସ୍‌ରେ ଅଭିଯୋଗ କରାଯାଇଥିଲା ଓ ଦେବଞ୍ଜନଙ୍କୁ ଗିରଫ କରାଯାଇଥିଲା।

ଲୋକମାନଙ୍କୁ ଦିଆଯାଇଥିବା ଭ୍ୟାକ୍‌ସିନ୍‌ର ଏକ୍ସପାଏରୀ ତାରିଖ ଥିଲା ନା ଏହା ଶେଷ ହୋଇ ଯାଇଥିଲା ? ସେନେଇ ପୋଲିସ୍‌ ତଦନ୍ତ କରୁଛି। ଲୋକଙ୍କୁ ଦିଆଯାଇଥିବା ଭ୍ୟାକ୍‌ସିନ୍‌ ଅସଲି କି ନକଲି ଥିଲା, ତାହା ଜାଣିବା ପାଇଁ ପୋଲିସ୍‌ ଜବତ ହୋଇଥିବା vialsକୁ ଟେଷ୍ଟିଂ ପାଇଁ ପଠାଇଛି।

Other Stories