ପାକ୍‌ ବିଦେଶ ମନ୍ତ୍ରାଳୟ ଅଫିସ ଭିତରେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ଟିକ୍‌ଟକ୍‌, ଭିଡିଓ ଭାଇରାଲ

ଇସଲାମାବାଦ: ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର୍‌ ହରୀମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ହରୀମଙ୍କୁ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଅଫିସର ଏକ କନ୍‌ଫରେନ୍ସ ରୁମ୍‌ ଭିତରେ ଟିକ୍‌ଟକ୍‌ କରୁଥିବା ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି। ଟିକ୍‌ଟକ୍‌ରେ ହରୀମଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି।

ସବୁଠାରୁ ବଡ଼ କଥା, ଅଫିସ ଭିତରେ ସେ ଖୁଲମ୍‌ଖୁଲା ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଅଫିସର ଯେଉଁ ଚେୟାରରେ ବିଦେଶ ମନ୍ତ୍ରୀ ବସନ୍ତି ସେଇ ଚେୟାର୍‌ରେ ହଠାତ୍ ଯାଇ ସେ ବସି ପଡ଼ୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ବଲିଉଡ୍‌ ଓ ପଞ୍ଜାବୀ ଗୀତରେ ଟିକ୍‌ଟକ୍‌ କରୁଥିବା ନଜର ଆସିଛନ୍ତି।

ତେବେ ସେଠାକାର ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ହରୀମ ସେଠାକାର ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୁଁ ଅନୁମତି ନେବାପରେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲି। ଯଦି ଏହା ନିୟମ ବିରୋଧୀ ଥିଲା, ତେବେ ସେମାନେ ମୋତେ ଭିଡିଓ କରିବା ପାଇଁ ଅନୁମତି ଦେବା ଉଚିତ୍‌ ନ ଥିଲା’।

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ନ୍ୟାସନାଲ୍‌ ଆସେମ୍ବ୍ଲିକୁ ମଧ୍ୟ ଯାଇଥିଲି, ଆଉ ମୋତେ ପାସ୍‌ ବି ମିଳିଥିଲା। ସେଠାରେ ମୋର ଏଣ୍ଟ୍ରି ଠିକ୍‌ ଭାବରେ ହୋଇଥିଲା। ଏପରିକି ସେଠାରେ କୌଣସି ସୁରକ୍ଷାକର୍ମୀ ମୋତେ ଅଟକାଇ ନ ଥିଲେ କି ମୋର କୌଣସି ଅସୁବିଧା ବି ହୋଇ ନ ଥିଲା’।

ପୂର୍ବରୁ କୁହାଯାଉଥିଲା କି ସେ ପ୍ରଥମେ ପିଏମ୍‌ ସେକ୍ରେଟାରୀଏଟ୍‌ ଯାଇଥିଲେ, ହେଲେ ପରେ ଜଣାପଡ଼ିଥିଲା କି ସେ ବିଦେଶ ମନ୍ତ୍ରାଳୟ ବିଲ୍ଡିଂରେ ଥିଲେ ବୋଲି।

ସବୁଠାରୁ ଆଶ୍ଚର୍ଯ୍ୟ କଥା, ହରୀମଙ୍କୁ ଅନେକ ବଡ଼ବଡ଼ ରାଜନେତାଙ୍କ ସହ ଦେଖିବାକୁ ମିଳିସାରିଛି। ଫୈୟାଜ୍ ଉଲ୍‌ ହସନ୍‌ଙ୍କ ସମେତ ଅନେକ ରାଜନେତାଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିବା ଦେଖିବାକୁ ମିଳିଛି।

ତେବେ ଘଟଣାକୁ ଯାହା ହେଉନା କାହିଁକି ସୋଶାଲ୍‌ ମିଡିଆରେ ଏହାକୁ ନେଇ ଖାଲି ହରୀମଙ୍କୁ ନୁହେଁ ବରଂ ପାକିସ୍ତାନକୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜଣେ ଟ୍ୱିଟର ୟୁଜର କହିଛନ୍ତି, ‘ଏହା କ’ଣ ପାକିସ୍ତାନ ସରକାରଙ୍କ ଗମ୍ଭୀରତା ?’

You might also like