‘କରୋନା ଟିକା ନେଲେ ବି ପୂର୍ବପରି ସତର୍କ ରହିବା ଜରୁରୀ’

ନୂଆଦିଲ୍ଲୀ: ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା। ୩୦ କୋଟି ଲୋକଙ୍କୁ ଦିଆଯିବ ଏହି ଭ୍ୟାକ୍ସିନ।ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ପ୍ରତି ଭାରତୀୟ, ଯାହାକୁ ଟିକା ଦେବା ଜରୁରୀ ଥିବ, ଟିକା ଦିଆଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ବୟସ୍କଙ୍କୁ ପ୍ରଥମେ ଟିକା ଦେବା ଯୋଜନା କରରାଯାଇଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ ଆଦି ୧ କୋଟି ଲୋକଙ୍କୁ ଟିକା ଦିଆଯିବ।

ସେହିପରି ପୋଲିସଙ୍କ ଭଳି କିଛି ସମ୍ମୁଖ ଯୋଦ୍ଧା ଥିବା ୨ କୋଟି ଲୋକ, ୫୦ ବର୍ଷରୁ ଅଧିକ, ବହୁବିଧ ରୋଗାକ୍ରାନ୍ତ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ଟିକା ଆସିଲେ ଏମାନଙ୍କୁ ଏକ ସମୟରେ ଟିକା ଦିଆଯିବା ବ୍ୟବସ୍ଥା ହେବ। ଟିକା ସଂରକ୍ଷଣ, ଟିକାକରଣ ଓ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

ସେହିପରି ଟିକା ଅଗ୍ରଗତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ବିଭିନ୍ନ ସ୍ତରରେ ୮ଟି ଟିକାର ପରୀକ୍ଷା ନିରୀକ୍ଷା ଚାଲିଛି। କୋଭିସିଲଡ, କୋଭାକ୍ସିନ, ଜାଇକୋଭ୍ ଡି, ସ୍ପୁଟନିକ ଭି, ଏନଭିଏକ୍ସ, ରିକମ୍ବିନାଣ୍ଟ, HGCO-19 ଏବଂ ଭାରତ ବାୟୋଟେକ ପ୍ରସ୍ତୁତ ଅନ୍ୟ ଏକ ଟିକା ପରୀକ୍ଷା ଚାଲିଛି। କୋଭିସିଲଡ ଫେଜ୍ ୩ ପରୀକ୍ଷା ଚାଲିଛି, ଜରୁରୀ ବ୍ୟବହାର ପାଇଁ ଅନୁମତି ମଗାଯାଇଛି। କୋଭାକ୍ସିନର ଫେଜ୍ ୩ ଓ ଜାଇକୋଭ ଡି ଫେଜ୍ ୨ ପରୀକ୍ଷା ଚାଲିଛି।

ସ୍କୁଟନିକ ଭିର ଫେଜ୍ ୨ ଓ ୩, NVXର ଫେଜ୍ ୩ ପରୀକ୍ଷା ବିଚାରାଧୀନ ଅଛି। ରିକମ୍ବିନାଣ୍ଟ ଓ HGCO 19ର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରାଯିବ। ଭାରତ ବାୟୋଟେକ ପ୍ରସ୍ତୁତ ଟିକା ପ୍ରି କ୍ଲିନିକାଲ ଷ୍ଟେଜରେ ରହିଛି। ଆସନ୍ତା କିଛି ସପ୍ତାହରେ କିଛି ଟିକାକୁ ଲାଇସେନ୍ସ ମିଳିଯିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଟିକା ନେଲା ପରେ ବି କୋଭିଡ଼ ପାଇଁ ପୂର୍ବପରି ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି।

You might also like