ସକାଳୁ ସକାଳୁ ଭୂକମ୍ପ ଝଟକା; ୩ ମୃତ

ବେଜିଂ:ସକାଳୁ ସକାଳୁ ଭୂକମ୍ପରେ ଥରିଲା ଚୀନ। ମ୍ୟାମାର ସୀମାକୁ ଲାଗିଥିବା ଇଲାକାରେ ଆଜି ସକାଳୁ ସକାଳୁ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଅତି କମ୍‌ରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏକ ଡଜନରୁ ଅଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଶନିବାର ସକାଳେ ଦକ୍ଷିଣ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଚାଇନାରେ ବଡ ଧରଣର ସିରିଜ ଭୂକମ୍ପ ଅନୁଭୂତ ହୋଇଥିଲା। ତିବ୍ବତିୟ ପ୍ଲାଟ୍ୟୁର ଦକ୍ଷିଣପଶ୍ଚିମରେ ଥିବା Qinghai ଏବଂ ଦକ୍ଷିଣ ପଶ୍ଚିମ ଚୀନର Yunnanରେ ଏହି ଭୂକମ୍ପ ବେଶି ଅନୁଭୂତ ହୋଇଥିଲା। ଭୂକମ୍ପରେ ଏହି ଦୁଇ ଇଲାକାରେ ପ୍ରଭୂତ କ୍ଷୟକ୍ଷତି ହୋଇଛି।

ପର୍ଯଟନସ୍ଥଳୀ ଡାଲି ନିକଟବର୍ତ୍ତୀ Yunnanରେ ଶୁକ୍ରବାର ରାତି ୯.୪୮ରେ ପ୍ରଥମ ଝଟକା ଆସିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଶନିବାର ସକାଳେ Yunnanଠାରୁ ୧୦୦୦ କିମି ଦୂର Qinghai ରେ ଦ୍ୱିତୀୟ ଝଟକା ଅନୁଭୂତ ହୋଇଥିଲା। ଏଠାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିଲା। ସ୍ଥାନୀୟ ଭୂତତ୍ୱ ବିଶେଷଜ୍ଞ ଜନଥାନ ଟାଇଟେଲଙ୍କ କହିବା ଅନୁଯାୟୀ ଦୁଇଟି ସ୍ଥାନରେ କିଛି ସମୟ ବ୍ୟବଧାନରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ପରସ୍ପର ସହ କୌଣସି ସମ୍ପର୍କ ନାହିଁ। ଭୂକମ୍ପର କେନ୍ଦ୍ର ସ୍ଥଳ ମାଡୁଉ କାଉଣ୍ଟିରେ ଠାବ କରାଯାଇଛି। ହେଲେ ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି, ତାହା ଏଯାଏ ଜଣାପଡ଼ିନି। ତଥାପି ଅନେକ ଘର ଭୂକମ୍ପ ଝଟକାରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଉଭୟ ସ୍ଥାନକୁ ଉଦ୍ଧାରକାରୀ ଓ ରିଲିଫ ପ୍ରଦାନକାରୀ ଟିମ୍‌କୁ ପଠାଯାଇଛି।

ଭୂକମ୍ପର ତୀବ୍ରତା ଅଧିକ ଥିଲେ ହେଁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ବୋଲି ଚୀନ ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି। ତେବେ ୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୭ ଜଣ ଆହତ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ CCTVକୁ କହିଥିବା ଜଣାଯାଇଛି। ଭୂକମ୍ପ ଦ୍ୱାରା କିଛି ବିଲଡିଂ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି । ଏଠାରେ ରହୁଥିବା ପ୍ରାୟ ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  ଉଦ୍ଧାରକାରୀ ଦଳ ରାସନ ଏବଂ ଟେଣ୍ଡ ଇତ୍ୟାଦି ଆବଶ୍ୟକ ଉପକରଣ ଧରି ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର କାମ ଜାରି ରଖିଛନ୍ତି।

ସୂଚନାଥାଉ କି, ଗତବର୍ଷ Yunnanରେ ହୋଇଥିବା ଭୂମିକମ୍ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

 

You might also like