ଟ୍ରମ୍ପଙ୍କ କଥା ମାନି କାମକୁ ଫେରିଥିବା ୧୦୦୦ ଲୋକ କରୋନା ସଂକ୍ରମିତ

ନ୍ୟୁୟର୍କ: ଆମରିକାରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୮୦ ହଜାର ପାର ହୋଇଗଲାଣି। ଏପରି ପରିସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଉଜୁଡ଼ି ଯାଉଥିବା ଅର୍ଥନୀତିକୁ ସଜାଡିବା ଲାଗି ଲକ୍‌ଡାଉନ ଖୋଲିବା ପାଇଁ ଯୋଜନା କରୁଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଅର୍ଥନୀତିକୁ ଆଗକୁ ବଢାଇବାକୁ ପଡ଼ିବ ଏବଂ ଲୋକଙ୍କୁ କାମକୁ ଫେରିବାକୁ ପଡ଼ିବ।

ତେବେ ଜଣାପଡ଼ିଛି, ଟ୍ରମ୍ପଙ୍କର ଏଇ ଆହ୍ୱାନ ପରେ ଯେଉଁ କେତେଜଣ ଲୋକ କାମରେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୧ ହଜାର ଲୋକ କରୋନା ଆକ୍ରାନ୍ତ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ମିଟ୍‌ ପ୍ୟାକିଂ ଏବଂ କୁକୁଡା ପାଳନ ଏବଂ ସେ ସମ୍ପର୍କିତ କାମ ଯେଉଁଠାରେ ହେଉଛି ସେଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି।

ଆମେରିକାର ଟେକ୍ସାସ ପ୍ରାନ୍ତ ଅଷ୍ଟିନ୍‌ର ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ କିଛି ଲୋକ କାମକୁ ଫେରିଥିଲେ ଯେଉଁମାନେ ସମସ୍ତେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ସେହିପରି ହ୍ୱାଇଟ୍‌ ହାଉସ୍‌ର ଟ୍ରମ୍ପଙ୍କ ସହଯୋଗୀ ମଧ୍ୟ କରୋନା ସଂକ୍ରମିତ। ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ପ୍ରେସ୍ ସେକ୍ରେଟରୀ ମଧ୍ୟ କରୋନା ଆକ୍ରାନ୍ତ। ଏଥରୁ ସ୍ପଷ୍ଟ ହେଉଛି ଯେଉଁଠି ଲକ୍‌ଡାଉନ୍ ଧୀରେ ଧୀରେ ଖୋଲୁଛି ସେଠାରେ କାମ କରୁଥିବା ଲୋକଙ୍କ ପାଇଁ ବିପଦ ବଢୁଛି।

ଏଠି କହିରଖିବୁ, ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୦୮,୦୦୦ରୁ ଅଧିକ ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୬୩୦ ଲୋକଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଏଥିସହିତ ମୃତକଙ୍କ ସଂଖ୍ୟା ୮୩, ୪୦୦କୁ ଟପିଛି। ଏହାକୁ ଦୃଷ୍ଟିରେ ରଖି ସିନେଟରେ କରୋନା ସଂକ୍ରମଣ ବିଶେଷଜ୍ଞ ଡାକ୍ତର ଏନ୍ଥନୀ ଫାସୀ ଆମେରିକାରେ ଲକ୍‌ ଡାଉନ ଅବଧି ବଢାଇବା ପାଇଁ କହୁଥିବାବେଳେ ଅର୍ଥନୀତିକୁ ସଜାଡିବା ପାଇଁ ଟ୍ରମ୍ପ ଆମେରିକାରୁ ଲକ୍‌ଡାଉନ ହଟାଇବା ପାଇଁ ଯୋଜନା କରୁଛନ୍ତି।

ସୂଚନାଥାଉ କି, ସାରା ବିଶ୍ୱରେ ମଙ୍ଗଳବାର ୮୫ ହଜାର ନୂଆ Covid-19 ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୩୭ ହଜାର ଟପିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣରେ ୫୩୦୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨,୯୨୪୦୦ ଟପିଲାଣି। ଆମେରିକା, ବ୍ରିଟେନ ପରେ ରୁଷ, ବ୍ରାଜିଲ୍, ଭାରତ, ପେରୁ କରୋନାର ହଟସ୍ପଟ ପାଲଟିଲାଣି।

 

 

You might also like