କରୋନା କବଳରୁ ଭାରତକୁ ସୁରକ୍ଷା ଦେବ ଏହି ଟିକା !

ନ୍ୟୁୟର୍କ: କରୋନା ଭାଇରସ ୨୦୦  ଦେଶର ଲୋକଙ୍କ  ଆଖିରୁ ନିଦ ହଜାଇ ଦେଇଛି । ଯଦିଓ ଏହି ରୋଗ ପାଇଁ ଭ୍ୟାକ୍ସିନ କିମ୍ବା ଔଷଧ ବାହାରି ନାହିଁ, ତେବେ ବିଶେଷଜ୍ଞମାନେ ସେମାନଙ୍କ ସାଧନାରୁ ଓହରି ନାହାନ୍ତି । ଦିନକୁ ଦିନ କରୋନା ସମ୍ପର୍କିତ ନୂଆ ନୂଆ ତଥ୍ୟ ବାହାରୁଛି । ନିକଟରେ ଏକ ଅଧ୍ୟୟନରୁ ଯେଉଁ ନିଷ୍କର୍ସ ବାହାରିଛି ତାହା ନିଶ୍ଚିତ ଭାବେ ଆମ ପାଇଁ ଏକ ଖୁସିର ଖବର । ନିକଟରେ ଏକ ଗବେଷଣାରୁ ଜଣାଯାଇଛି, ବିସିଜି ଟିକା କରୋନା ଭାଇରସ୍‌ ସହ ଲଢିବାରେ ସକ୍ଷମ ହୋଇପାରୁଛି ।

ନ୍ୟୁୟର୍କ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି (ଏନଆଇଟି) ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି, ବିସିଜି ଟିକାରେ କରୋନା ମୁକାବିଲା କରିବାର ସାମର୍ଥ୍ୟ ରହିଛି । ଯଦି ଏହି ତଥ୍ୟ ଠିକ୍‌ ହୁଏ, ତେବେ ଭାରତ ପାଇଁ ଏହା ଏକ ଭଲ ଖବର । କାରଣ ୧୯୬୨ ପରଠାରୁ  ଜନ୍ମର ଅଳ୍ପଦିନ ପରେ ଶିଶୁଙ୍କୁ ବିସିଜି ଟିକା ଦିଆଯାଉଛି । ଅର୍ଥାତ ଦେଶର ବହୁସଂଖ୍ୟକ ଲୋକ ଏହି ଟିକା ନେଇ ସାରିଛନ୍ତି।
ଏକ ଅନୁଧ୍ୟାନରୁ ଜଣାଯାଇଛି, ବିସିଜି ଟିକା କୋଭିଡ ୧୯ ମୃତ୍ୟୁ ସଂଖ୍ୟାକୁ କମ୍‌ କରିବାରେ ସାହାଯ୍ୟ କରୁଛି । ଯେଉଁ ଦେଶମାନଙ୍କରେ ବିସିଜି ଟିକା ଦିଆଯାଇଛି, ସେଠାରେ ମୃତ୍ୟୁ ହାର କମ୍‌ ରହିଛି । ଏହି ଅଧ୍ୟୟନରେ ଜଡିତ ବିଶେଷଜ୍ଞମାନେ କହିଛନ୍ତି, ଏହି ଭ୍ୟାକ୍ସିନ ଭାଇରାଲ ସଂକ୍ରମଣ ଏବଂ ସେପ୍‌ସିସ୍‌ ପରି ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ ।
ଏନଆଇଟିର ଡିପାର୍ଟମେଣ୍ଟ ଅଫ ବାୟୋମେଡିକାଲ ସାଇନ୍ସ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଏଥିରେ ବିସିଜି ଟିକା କେଉଁ ଦେଶରେ ଦିଆଯାଇଛି ଏବଂ କେଉଁ ଦେଶରେ ଦିଆଯାଇ ନାହିଁ ତାହାର ଏକ ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା । ଜାପାନ, ବ୍ରାଜିଲରେ ବିସିଜି ଦିଆଯାଇଛି । ହେଲେ ଇଟାଲି, ଆମେରିକା, ଲେବାନନ୍‌, ବେଲଜିୟମରେ ବିସିଜି ପଲିସି ନାହିଁ ।

ଏହି ଦେଶମାନଙ୍କ ସ୍ଥିତି  ଦେଖିଲେ ଜଣାଯାଏ ଇଟାଲିରେ କରୋନ ଜନିତ ମୃତ୍ୟୁ ହାର ଅଧିକ ରହିଛି ଏବଂ ଆମେରିକାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି । ଇଟାଲି, ଆମେରିକା ଏବଂ ସ୍ପେନକୁ ଦେଖିଲେ ଜଣାଯାଏ ଏଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସବୁଠାରୁ ଅଧିକ । ଇଟାଲି ଏବଂ ସ୍ପେନରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ । ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅଧିକ । ସ୍ପେନ୍‌ରେ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଇଟାଲିରେ ମୃତ୍ୟୁ ସଂଖ୍ୟା ୧୨ ହଜାର ପାର ହୋଇଛି।

ଅନ୍ୟପକ୍ଷେ ବ୍ରାଜିଲ ଯେଉଁଠି ବିସିଜି ଟିକା ଆରମ୍ଭ ହୋଇଥିଲା ସେଠାରେ ୪ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ହେଲେ ମୃତ୍ୟୁ ସଂଖ୍ୟା ୧୬୫ । ଭାରତକୁ ମଧ୍ୟ ଏହାର ଏକ ଉଦାହରଣ ଭାବେ ନିଆଯାଇ ପାରେ । ଭାରତର ବହୁ ସଂଖ୍ୟକ ଲୋକ ଯୁବବର୍ଗର । ହିସାବ କଲେ ଜଣାଯାଏ ୧୯୬୨ରୁ ବିସିଜି ଟିକା ଆରମ୍ଭ ହୋଇଥିଲା । ତେଣୁ ହିସାବ କଲେ ଜଣାଯାଏ ଦେଶର ପ୍ରାୟ ୭୦ ପ୍ରତିଶତ ଲୋକ ବିସିଜି ଟିକା ନେଇଛନ୍ତି ।
ତେବେ ଏନଆଇଟିର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ଜର୍ମାନୀ ଏବଂ ବ୍ରିଟେନ ପକ୍ଷରୁ କୁହାଯାଇଛି, କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ହେଲଥ୍‌ ୱାର୍କର୍ସଙ୍କୁ ବିସିଜି ଟିକା ଦେବ ।

You might also like