ପୁଣି ଏହି ରାଜ୍ୟକୁ ଫେରିଲା କରୋନା ଡର, ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରକୁ ପୁଣି ଫେରିଲା କୋଭିଡ ଡର। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୫ ଦିନ ପରେ ଗୋଟିଏ ଦିନରେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସପ୍ତାହେ ହେବ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ହେଲେ ଗୁରୁବାର ଦିନ ଏହି ସଂଖ୍ୟା ୫ ହଜାର ଅତିକ୍ରମ କରିଛି।

ଗତ କିଛି ଦିନ ଧରି ମହାରାଷ୍ଟ୍ରର ଅମରାବତୀ ଓ ୟବତମାଲ୍‌ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ଦେଖି ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ୟବତମାଲ୍‌ରେ ୧୦ ଦିନ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଅମରାବତୀରେ ୭ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି।

ୟବତମାଲ୍‌ ଜିଲ୍ଲାରେ ଗତକାଲି ରାତିରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହାସହ ଫେବୃଆରୀ ୨୮ ତାରିଖ ଯାଏ ପଞ୍ଚମରୁ ନବମ ଶ୍ରେଣୀ, କଲେଜ ଓ କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ରହିବ। ବିବାହ କାର୍ଯ୍ୟକ୍ରମରେ ୫୦ ଜଣ ଲୋକଙ୍କୁ ସାମିଲ ପାଇଁ ଅନୁମତି ମିଳିଛି। ଯଦିଓ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲା ରହିବ, ତେବେ କୋଭିଡ୍‌ ପ୍ରୋଟୋକୋଲ୍‌କୁ‌ କଡ଼ାକଡ଼ି ଭାବେ ପାଳନ କରାଯିବ। ସକାଳ ୮ଟାରୁ ରାତି ସାଢ଼େ ୯ଟା ଯାଏ ରେଷ୍ଟୁରାଣ୍ଟ ଓ ହୋଟେଲ ଗୁଡ଼ିକ ଖୋଲା ରହିବ। ମାର୍କେଟ୍‌ ଓ ଦୋକାନ ଗୁଡ଼ିକ ରାତି ୮ଟା ଯାଏ ଚାଲୁ ରଖିବାକୁ ଅନୁମତି ମିଳିଛି।

ବିଗତ କିଛି ଦିନ ଧରି ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି Brihanmumbai Municipal Corporation (BMC) ମୁମ୍ବାଇ ପାଇଁ କରୋନା ସମ୍ବନ୍ଧିତ ନୂଆ ଗାଇଡଲାଇନ୍ସ ଜାରି କରିଛି। ହୋମ୍‌ ଆଇସୋଲେସନ୍‌, ବିବାହ ଓ ସର୍ବସାଧାରଣରେ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମ୍ୟୁନିସିପାଲ୍‌ କମିଶନର ଇକ୍‌ବାଲ୍‌ ସିଂ ଚହଲ୍‌ କହିଛନ୍ତି। ଟ୍ରେନ୍‌ରେ ବିନା ମାସ୍କରେ ଯାଉଥିବା ଲୋକଙ୍କୁ ନଜର ରଖିବାକୁ ୩ ଶହ ମାର୍ସଲ ନିୟୋଜିତ ହେବେ। ଏହାଛଡ଼ା ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଫାଇନ୍ କରିବାକୁ ପୋଲିସକୁ କ୍ଷମତା ଦିଆଯାଇଛି। ଯେଉଁମାନେ ସର୍ବ ସାଧାରଣରେ ମାସ୍କ ପିନ୍ଧି ନଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଯେଉଁ ହଲ୍‌, ଜିମ୍ନାସିୟମ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ କରୋନା ଗାଇଡ୍‌ଲାଇନ୍ସ ପାଳନ ନକରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବ୍ରାଜିଲରୁ ମୁମ୍ବାଇ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ୭ ଦିନ ପାଇଁ ସରକାରୀ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ବ୍ରାଜିଲରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି।

ମହାରାଷ୍ଟ୍ରର ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର ସେ ଏହି ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପାଟିଲ କିଛି ଦିନ ତଳେ ନିଜ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। କୁହାଯାଉଛି, ଉତ୍ସବ ସମୟରେ ମାସ୍କ ଏବଂ ସୋଶାଲ ଡିଷ୍ଟାନ୍ସିଂ ପାଳନ କରାଯାଇ ନ ଥିଲା।

You might also like