ମାର୍ଚ୍ଚ ୩୧ ଯାଏ ଏହି ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

ଚେନ୍ନାଇ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତାମିଲନାଡୁରେ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ‌ବଢ଼ା ଯାଇଛି। ଲକ୍‌ଡାଉନ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଲକ୍‌ଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଚାଲି ପାରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ୍ ଗାଇଡ୍‌ଲାଇନ୍ସ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି।

ଆସନ୍ତା ଏପ୍ରିଲ ୬ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୪୦୦ରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ତାମିଲନାଡୁରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୮ ଲକ୍ଷ ୫୧ ହଜାରରେ ପହଞ୍ଚିଛି।  ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧୨ ହଜାର ୪୯୬ରେ ପହଞ୍ଚିଛି।

ସୂଚନାଥାଉ କି, ଆଜିଠୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ। ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ବୋଲି ସୂଚନା ରହିଛି। ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି।

You might also like