ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଇଦ୍ ମୁବାରକ ଜଣାଇଲେନି ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅବୁଧାବିର ବଲି ଅହଦ (କ୍ରାଉନପ୍ରିନ୍ସ) ଶେଖ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶଖେ ହସିନାଙ୍କୁ ଇଦ୍ ମୁବାରକ ଜଣାଇଥିଲେ । ଏଥିସହିତ କରୋନା ଭାଇରସ୍ ମହାମାରୀର ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।
ମୋଦି ତାଙ୍କର ଟ୍ୱିଟରରେ ଲେଖିଛନ୍ତି ମୋହମ୍ମଦ ବିନ ଜାୟଦ ଏବଂ ସଂଯୁକ୍ତ ଆରବ ଏମିରେଟ୍ (ୟୁଏଇ)ର ଲୋକଙ୍କୁ ଇଦର ମୁବାରକ । ଏଥିସହିତ ପ୍ରଧାନମନ୍ତ୍ରୀ ୟୁଏଇରେ ଥିବା ଭାରତୀୟ ନାଗରିକଙ୍କୁ ସହଯୋଗ କରାଯାଉଥିବାରୁ ଧନ୍ୟବାଦ ଜଣାଇଥିଲେ । କୋଭିଡ-୧୯ ପରି ଦୁଃସ୍ଥିତି ଭାରତ-ୟୁଏଇର ସମ୍ପର୍କକୁ ଅଧିକ ମଜବୁତ୍ କରିଛି ବୋଲି ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି।
ସେହିପରି ମୋଦି ଶେଖ ହସିନାଙ୍କ ସହ ଆଲୋଚନାବେଳେ ତାଙ୍କୁ ଏବଂ ବାଂଲାଦେଶବାସୀଙ୍କୁ ଇଦର ଶୁଭକାମନା ଜଣାଇଥିଲେ । ଅନ୍ୟଏକ ଟ୍ୱିଟରେ ମୋଦି କହିଥିଲେ, ଆମେ ଅମ୍ପନ ପ୍ରଭାବ ଏବଂ କୋଭିଡ ୧୯ ମହାମାରୀ ସ୍ଥିତି ଉପରେ ଆଲୋଚନା କରିଥିଲୁ । ଏପରି ଦୁଃସ୍ଥିତି ସମୟରେ ବାଂଲାଦେଶକୁ ଭାରତ ପକ୍ଷରୁ ସହଯୋଗ ଜାରି ରହିବ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ପୁଣି ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ମୁସ୍ଲିମ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି, ଅନେକଙ୍କୁ ଜଣାଇ ନାହାନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ଆମର ପଡୋଶୀ ଦେଶ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଇଦ୍ ମୁବାରକ ନ ଜଣାଇବା।
ଅବଶ୍ୟ ଏହା ପଛରେ ଅନେକ କାରଣ ଅଛି । ପ୍ରଥମ କଥା ହେଲା, ପାକିସ୍ତାନ ତାର ଭାରତ ବିରୋଧୀ ମନୋଭାବ ଛାଡୁନାହିଁ । କରୋନା ପରି ଜୀବନ ମରଣ ଯୁଦ୍ଧ ସମୟରେ ବି ସେ ଭାରତକୁ ଆତଙ୍କବାଦୀ ପଠାଉଛି । ଚଳିତମାସ ପ୍ରାରମ୍ଭରେ ଆତଙ୍କବାଦୀ ଆକ୍ରମଣ କରିଥିଲା । ପାକସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯାଉଛ । ତେଣୁ ପାକିସ୍ତାନକୁ ଇଦ୍ ମୁବାରକ ନ ଜଣାଇ ଭାରତ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେ ପାକିସ୍ତାନର ଏପରି ହରକତକୁ ନେଇ କ୍ଷୁବ୍ଧ ଅଛି ।
ସେତିକି ନୁହେଁ, ଇଦ୍ ଅବସରରେ ବିଏସଏଫ ପକ୍ଷରୁ ପାକିସ୍ତାନକୁ ମିଠା ପ୍ୟାକେଟ ଦିଆଯାଇଥାଏ । ସେହିପରି ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ମଧ୍ୟ ଭାରତୀ୍ର ସେନାଙ୍କୁ ମିଠା ପ୍ରଦାନ କରା ଯାଇଥାଏ । ହେଲେ ଏଥର ସେହି ପାରମ୍ପରିକ ନିୟମ ରକ୍ଷା କରାଯାଇ ନାହିଁ ।
ଦୁଇ ଦେଶର ସେନା ମଧ୍ୟରେ କୌଣସି ମିଠା ବିନିମୟ ହୋଇନାହିଁ । ସେନା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅଧିକାରୀ ସ୍ତରରେ କୁହାଯାଇଛି, ସୀମାନ୍ତରେ ଉତ୍ତଜେନା ଲାଗି ରହିଛି । ତେଣୁ ମିଠା ଆଦାନ ପ୍ରଦାନ ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରେ ଜମ୍ମୁରୁ ଗୁଜୁରାଟ ପର୍ଯ୍ୟନ୍ତ କେଉଁଠି ବି ହୋଇନାହିଁ । ପୂର୍ବରୁ ଦିୱାଲି, ଫାଉଣ୍ଡେସନ ଡେ(ଡିସେମ୍ବର ୧), ଗଣତନ୍ତ୍ର ଦିବସ ଭାରତ ପକ୍ଷରୁ ପରମ୍ପରାର ପାଳନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ପାକିସ୍ତାନ ପକ୍ଷରୁ ସେପରି କୌଣସି ପ୍ରତିକ୍ରିୟା ମିଳି ନ ଥିଲା ।
Spoke to PM Sheikh Hasina to wish her and the friendly people of Bangladesh, a happy & prosperous Eid-ul-Fitr. We discussed the impact of cyclone Amphan and the present COVID-19 situation. Reiterated India’s continued support to Bangladesh in this challenging time.
— Narendra Modi (@narendramodi) May 25, 2020