• translate
Rajalaxmi Sahoo

ମୁମ୍ବାଇ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲକ୍‌ଡାଉନ୍ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ପରିବା ଦୋକାନ, ଫଳ ଓ କ୍ଷୀର ବୁଥ୍‌ ଲକ୍‌ଡାଉନ୍ ସମୟରେ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ବିନା କାରଣରେ ଲୋକଙ୍କୁ ଘର ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଲକ୍‌ଡାଉନ୍‌ କଟକଣା ପାଳନ କରିବାକୁ କୁହାଯାଇଛି। ନାଗପୁର ପୋଲିସ୍ କମିଶନରେଟ୍‌ ଅଧୀନରେ ଆସୁଥିବା ସବୁ ସ୍ଥାନରେ ଲକ୍‌ଡାଉନ୍‌ ଲାଗୁ କରାଯିବ। ଗୁରୁବାର ଦିନ ନାଗପୁରରୁ ୧,୭୧୦ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ନାଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିଲା।

ଏହା ପୂର୍ବରୁ କିଛିଦିନ ତଳେ ମହାରାଷ୍ଟ୍ରର ଜାଲ୍‌ଗାଓଁ ଜିଲ୍ଲାରେ ଜନତା କର୍ଫ୍ୟୁ ଲାଗୁ କରାଯାଇଥିଲା। ମାର୍ଚ୍ଚ ୧୧ ରାତି ୮ଟାରୁ ମାର୍ଚ୍ଚ ୧୫ ସକାଳ ୮ଟା ଯାଏ ଏହି କଟକଣା ଲାଗୁ ହୋଇଛି।

ଆଗକୁ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ଲକ୍‌ଡାଉନ୍ ଲାଗୁ କରାଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସଙ୍କେତ ଦେଇଛନ୍ତି। କିଛିଦିନ ଭିତରେ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି। ପାଖାପାଖି ମାସକ ଭିତରେ ମହାରାଷ୍ଟ୍ରରେ କରୋନା ମାମଲା ବଢ଼ିବାରେ ଲାଗିଛି।

ମହାରାଷ୍ଟ୍ରରେ ପ୍ରାୟ ଗୋଟିଏ ମାସ ହେଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଦେଶର ମୋଟ୍‌ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି।

Other Stories