ଭୟଙ୍କର ହେଲାଣି ମହାମାରୀ: କେବଳ ଏପ୍ରିଲରେ ୪୫ ହଜାର ସଂକ୍ରମିତଙ୍କ ମୁଣ୍ଡ ନେଲାଣି କରୋନା

ଘାତକ ସାଜିଲା ଏପ୍ରିଲ୍‌

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି କରୋନା। ହୁ ହୁ ହୋଇ ବଢୁଛି ସଂକ୍ରମଣ। ଆଉ ଦୈନଦିନ ସଂକ୍ରମଣର ସଂଖ୍ୟା ବି ଉପରମୁହାଁ ରହିଛି। ଏପ୍ରିଲ ମାସରେ ନିଜର କରାଳ ରୂପ ଦେଖାଇଛି କରୋନା। ମାସକ ମଧ୍ୟରେ ପାଖାପାଖି ୪୫ ହଜାର ରୋଗୀଙ୍କର ଗଲାଣି ଜୀବନ। କେବଳ ଯେ, ମୃତକଙ୍କ ସଂଖ୍ୟା ବଢିଛି ତାହା ନୁହେଁ ବରଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିଥିବା ଜଣାଯାଇଛି। ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଆକ୍ଟିଭ୍‌ କେସ ରହିଛି। ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟ ସରକାର। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କାରଣରୁ ରୋଗୀଙ୍କୁ ମେଡିକାଲରେ ଆଉ ବେଡ଼୍‌ ବି ମିଳୁନାହିଁ।

ଆଉ ଆଜିକା ଦିନରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୫୪ ହଜାର ୯୮୪ ଥିବାବେଳେ ୨ ଲକ୍ଷ ୮ ହଜାର ୩୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୩୧ ଲକ୍ଷ ୬୪ ହଜାର ୮୨୫ ଟି ସକ୍ରିୟ ମାମଲା ରହିଛି। ତେବେ ଏତେ ପରିମାଣରେ ରୋଗୀ ସଂଖ୍ୟା ବଢୁଥିବାରୁ ଏବେ ଚିନ୍ତା ବଢିଛି। ଆଉ ଏହାରି ମଧ୍ୟରେ ଭାରତକୁ ସାହାଯ୍ୟ କରିବାକୁ ବିଦେଶୀ ରାଷ୍ଟ୍ର ମଧ୍ୟ ଆଗେଇ ଆସିଛନ୍ତି। ଭାରତରେ କରୋନାର କରାଳ କାୟା ଦେଖି, ତରଳିଲା ବିଶ୍ୱ ସମୁଦାୟର ହୃଦୟ। ମହାମାରୀର ଭୟାବହତାକୁ ଦେଖି ଭାରତକୁ ଛୁଟିଛି ବିପୁଳ ସହାୟତାର ସୁଅ।

ଆୟାରଲ୍ୟାଣ୍ଡରୁ ଆମେରିକା, ଇଂଲଣ୍ଡରୁ ଋଷ୍, ଛୋଟ ଦେଶଠୁ ଆରମ୍ଭ କରି ସୁପର ପାୱାର ଯାଏ ସମସ୍ତେ ଭାରତକୁ ସହାୟତା ପାଇଁ ଏବେ ଆଗଭର ହୋଇଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ଋଷରୁ ସହାୟତା ସାମଗ୍ରୀ ନେଇ ଆସିଥିବା ବିମାନ ଅବତରଣର ଦୃଶ୍ୟ ଦେଖିବା ପରେ ଆଶ୍ୱସ୍ତି ହେଉଛନ୍ତି ଲୋକେ। ଭାରତର ପାରମ୍ପରିକ ମିତ୍ର ରାଷ୍ଟ୍ର ଭାବେ ଜଣାଶୁଣା ଋଷିଆରୁ ଆସିଛି ୨୦ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର, ୭୫ଟି ଭେଣ୍ଟିଲେଟର, ୧୫୦ଟି ବେଡ୍ସାଇଡ୍ ମନିଟର, ଜରୁରୀ ମେଡିସିନ୍ ଓ ଅନ୍ୟାନ୍ୟ ମେଡିକାଲ ଉପକରଣ।

ତେବେ ଏଠାରେ କହିରଖୁଛୁ ଯେ, ଦେଶରେ ସ୍ଥିତି ଏମିତି ହେଲାଇଣି ଯେ, ମେଡିକାଲରେ ରୋଗୀଙ୍କୁ ଜାଗା ମିଳୁନଥିବା ବେଳେ ଶ୍ମଶାନରେ ଶବକୁ ମଧ୍ୟ ଜାଗା ମିଳୁନାହିଁ। ୮ ରାଜ୍ୟରେ ସ୍ଥିତି ସଙ୍ଗୀନ ହେଲାଣି। ବର୍ତ୍ତମାନ ସମୟରେ ଅକ୍ସିଜେନ୍‌ ଅଭାବ ଏକ ବିରାଟ ଅସୁବିଧା ଭାବରେ ଉଭା ହେଲାଣି। ସେପଟେ କିନ୍ତୁ ଭ୍ୟାକ୍ସିନ୍‌ ନେବା ପରେ ଆସନ୍ତ ମାସରୁ କରୋନା ସଂକ୍ରମଣ କମିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ। ତେବେ ଦେଖାଯାଉ କେବେ କମୁଛି ମହାମାରୀ?

You might also like