• translate
Satyendu Shekher Mishra

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ସାରା ଦେଶକୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଏବେ ସାଧାରଣରେ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି । କରୋନା ଟିକାର ଦୁଇଟି ଡୋଜ୍‌ ନେବା ପରେ କ’ଣ ତୃତୀୟ ବୁଷ୍ଟର ଡୋଜ୍‌ ନେବାକୁ ପଡ଼ିବ କି ? ତେବେ ଏନେଇ ଦେଶର ଜଣାଶୁଣା ବିଶେଷଜ୍ଞମାନେ କହିଛନ୍ତି ଯେ, ଭବିଷ୍ୟତରେ କୋଭିଡ-୧୯ ମହାମାରୀକୁ ଏଡ଼ାଇବା ପାଇଁ ଲୋକଙ୍କୁ ତୃତୀୟ ଡୋଜ ନେବାକୁ ପଡିପାରେ । କିନ୍ତୁ ଏବେ ସୁଦ୍ଧା ଏହାର କାର୍ଯ୍ୟକାରିତା ଏବଂ କ୍ଷମତା ଉପରେ ପର୍ଯ୍ୟାପ୍ତ ତଥ୍ୟ ନାହିଁ ।

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ତୃତୀୟ ଡୋଜ୍‌ର ଆବଶ୍ୟକତା ମୁଖ୍ୟତଃ ଦୁଇଟି କାରଣ ଉପରେ ଉପରେ ନିର୍ଭର କରିବ । ପ୍ରଥମଟି ହେଉଛି ଟିକାର ଉଭୟ ଡୋଜ ନେବା ପରେ ତାହାର ପ୍ରତିରୋଧକ ଶକ୍ତି କେତେ ଦିନ ପର୍ଯ୍ୟନ୍ତ ରହୁଛି ? ଦ୍ୱିତୀୟରେ, ଯଦି ନୂତନ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଛି ତେବେ ଭ୍ୟାକ୍ସିନର ଏଫିକେସିକୁ ଆଧାର କରି ତୃତୀୟ ଡୋଜ ଦିଆଯାଇପାରେ । ଦେଶର ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ସଦସ୍ୟ ତଥା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ, ଆମ ପାଖରେ କୌଣସି ଠୋସ୍‌ ତଥ୍ୟ ନାହିଁ, କିନ୍ତୁ ଭବିଷ୍ୟତରେ ତୃତୀୟ ଡୋଜ ମଧ୍ୟ ନିଆଯାଇପାରେ । ତେବେ ତାହା ତୁରନ୍ତ ନିଆଯିବ ବୋଲି ସେଭଳି କିଛି ଜରୁରୀ ନୁହେଁ କିନ୍ତୁ ଭବିଷ୍ୟତରେ ନେବାକୁ ପଡ଼ିପାରେ ।

କେବେ ଶେଷ ହେବ ଦ୍ୱିତୀୟ ଲହର ?

କରୋନାର ଏହି ଦ୍ୱିତୀୟ ଲହର ପ୍ରକୋପ କେବେ ଶେଷ ହେବ ? ଏହାର ଉତ୍ତରରେ ଗୁଲେରିଆ କହିଛନ୍ତି ଯେ, ଏବେ ପଶ୍ଚିମରୁ ପୂର୍ବ ଆଡ଼କୁ ମହାମାରୀ ଗତି କରୁଛି । ଦେଶର ପଶ୍ଚିମ ପ୍ରାନ୍ତ ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ମାମଲା ସ୍ଥିର ରହିଥିବା ଦେଖାଯାଇଛି । ଆଶା କରାଯାଉଛି ଯେ ଏହା ଆଗକୁ ହ୍ରାସ ପାଇବାରେ ଲାଗିବ । କିନ୍ତୁ ମଧ୍ୟ ଭାରତରେ ଏବେ ବି ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବାରେ ଲାଗିଛି । ହେଲେ ଏହା ଚଳିତ ମାସର ଶେଷ ଆଡ଼କୁ ହ୍ରାସ ପାଇବା ଆରମ୍ଭ ହେବ ବୋଲି ସେ ଆଶା ରଖିଛନ୍ତି । ତେବେ ଦେଶର ପୂର୍ବ ଭାଗରେ ମାମଲା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିବା ସହ  ସେ ଚେତାବନୀ ଦେଇଛନ୍ତି ।

ଗୁଲେରିଆ ଆହୁରି କହିଛନ୍ତି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ଆମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିପାରିବା ।  ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସରକାର ଟିକାକରଣ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ଲୋକମାନେ କରୋନା ନିୟମକୁ ସଠିକ୍ ଭାବରେ ଗ୍ରହଣ କରିନ୍ତି ତେବେ ଭାରତରେ ତୃତୀୟ ଲହରର ପ୍ରଭାବ କମ୍ ରହିପାରେ ।

ପିଲାମାନଙ୍କର ଟୀକାକରଣ ଉପରେ କ’ଣ କରାଯାଉଛି?

ପିଲାମାନଙ୍କର ଟୀକାକରଣ ବିଷୟରେ ସେ କହିଛନ୍ତି- ‘ଆମେ ଆଗରୁ ଜାଣିଛୁ ଯେ ପିଲାମାନେ ଦୁର୍ବଳ । ଚର୍ଚ୍ଚା ହେଉଛି ଯେ, ଯଦି ଆଉ ଏକ ଲହର ଆସେ ତେବେ ପିଲାମାନେ ଏହାର ଶିକାର ହୋଇପାରନ୍ତି । ତେଣୁ ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ପିଲାମାନଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ ଉପରେ ଗୁରୁତ୍ୱ ଦେବା ।

Other Stories