ଚୋରି କରିବାକୁ ଆସି ଭୁଲ୍‌ରେ ନେଇଗଲେ କରୋନା ଭ୍ୟାକ୍‌ସିନ୍; ଜାଣିବା ପରେ କହିଲେ-‘Sorry, ମୁଁ ଜାଣିନଥିଲି…’

ଜିନ୍ଦ୍‌: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଗତକାଲି ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍‌ ହୋଇଥିଲା। ଏସବୁ ଭିତରେ କରୋନା ଭ୍ୟାକ୍‌ସିନ୍‌ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି। କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍‌ସିନ୍‌ର କିଛି‌ ଡୋଜ୍‌ ଚୋରି ହୋଇଯାଇଥିଲା ଓ ପରେ ଚୋରି କରିଥିବା ବ୍ୟକ୍ତି ଏହାକୁ ଫେରାଇ ଦେଇଥିବା ଜଣାପଡ଼ିଛି। ଘଟଣାଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି କିଛି ଘଟଣା ହରିୟାଣା ଜିନ୍ଦ୍‌ରେ ଘଟିଛି।

ଏମିତି ଥିଲା ପୂରା ଘଟଣା…

ବୁଧବାର ରାତି ପ୍ରାୟ ୧୨ଟା ସମୟରେ ହରିୟାଣା ଜିନ୍ଦ୍‌ ଜିଲ୍ଲା ସ୍ଥିତ ଏକ ସିଭିଲ୍‌ ହସ୍ପିଟାଲ୍‌ର ପିପି ସେଣ୍ଟରରୁ କରୋନା ଭ୍ୟାକ୍‌ସିନ୍‌‌ର ୧୭୧୦ ଡୋଜ୍‌ ଚୋରି ହୋଇଥିବା ଖବର ଜଣାପଡ଼ିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହାର ପରଦିନ ଅର୍ଥାତ୍‌ ଗୁରୁବାର ଦିନ ଭ୍ୟାକ୍‌ସିନ୍‌ ଚୋରି କରିଥିବା ବ୍ୟକ୍ତି ଏହାକୁ ଫେରାଇ ଦେଇଥିଲେ। ପୋଲିସ୍‌ ସୂଚନା ଅନୁସାରେ, ସିଭିଲ୍‌ ଲାଇନ୍ସ ପୋଲିସ୍‌ ଷ୍ଟେସନ ବାହାରେ ଥିବା ଏକ ଚା’ ଦୋକାନରେ ଚୋରି ହୋଇଥିବା କୋଭିସିଲ୍ଡର ୧୮୨ ଡୋଜ୍‌ ଓ କୋଭାକ୍ସିନ୍‌ର ୪୪୦ ଡୋଜ୍ ରଖା ଯାଇଥିଲା। ଏହାସହ ଘଟଣାସ୍ଥଳରେ ଏକ ଚିଠି ଛାଡ଼ି ଫେରାର ହୋଇଯାଇଥିଲା ଚୋର। ଯେଉଁଥିରେ ଉଲ୍ଲେଖ ଥିଲା, ‘Sorry, ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍‌ସିନ୍‌ ବୋଲି।

ସୂଚନା ଅନୁସାରେ, ଚା’ ଦୋକାନ ବାହାରେ ବସିଥିବା ଜଣେ ବୃଦ୍ଧଙ୍କୁ ଚୋର ଏକ ବ୍ୟାଗ୍‌ ଦେଇ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାପରେ ବ୍ୟାଗ୍‌ ସହ ଚା’ ଦୋକାନୀ ଥାନାରେ ପହଞ୍ଚିଥିଲେ। ବ୍ୟାଗ୍‌ ଖୋଲିବା ପରେ ଦେଖିବାକୁ ମିଳିଥିଲା, ଏଥିରେ ଚୋରି ହୋଇଥିବା କରୋନା ଭ୍ୟାକ୍‌ସିନ୍‌ର ଡୋଜ୍‌ ସହ ଏକ ଚିଠି ରଖା ଯାଇଛି। ଚିଠିରେ ଲେଖା ଯାଇଥିଲା, ‘Sorry, ମୁଁ ଜାଣିନଥିଲି ଏହା କରୋନା ଭ୍ୟାକ୍‌ସିନ୍‌ ବୋଲି। ଚୋରକୁ ଧରିବା ପାଇଁ ପୋଲିସ୍‌କୁ କିଛି ସୁରାକ୍‌ ମିଳିଥିବା ଜଣାପଡ଼ିଛି। 

ଅନ୍ୟପକ୍ଷରେ ଘଟଣାକୁ ନେଇ ପୋଲିସ୍‌ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ରେମଡେସିଭିର୍‌ ଇଞ୍ଜେକ୍ସନ ନେବା ପାଇଁ ଆସିଥିବା ଏହି ଚୋର ହୁଏତ ଭୁଲ୍‌ରେ କରୋନା ଭ୍ୟାକ୍‌ସିନ୍‌ ନେଇ ଯାଇଥିଲା ବୋଲି ପୋଲିସ୍‌ କହିଛି।

ଦେଶରେ ବେକାବୁ ମହାମାରୀ କରୋନା। ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଦିନକରେ ୨,୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦କୁ ବୃଦ୍ଧି ହୋଇଛି। ସେହିପରି ଆକ୍ଟିଭ୍‌ କେସ୍ ସଂଖ୍ୟା ୨୪ ଲକ୍ଷ ୨୮ ହଜାର ୬୧୬ରେ ପହଞ୍ଚିଛି। ଏବେ ଯାଏ ଦେଶରେ ସୁସ୍ଥ ହୋଇଛନ୍ତି ୧ କୋଟି ୩୬ ଲକ୍ଷ ୪୮ ହଜାର ୧୫୯। ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ। ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଞ୍ଜୀକରଣ ହେବ। ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତି କୋ ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ।

You might also like