“କାହିଁକି ଚାଷୀ ଆନ୍ଦୋଳନ କରୁଛନ୍ତି ତାହା ସେ ନିଜେ ବି ଜାଣିନାହାନ୍ତି”

ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି

ନୂଆଦିଲ୍ଲୀ: ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ଗୋଟିଏ ପଟେ କେନ୍ଦ୍ର ନୂଆ କୃଷି ଆଇନ କୌଣସି ପରିସ୍ଥିତିରେ ବଦଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଉ ଅନ୍ୟପଟେ, କେନ୍ଦ୍ର ଆଇନରେ ସଂଶୋଧନ ନକଲେ ଆନ୍ଦୋଳନ ସରିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ଚାଷୀ। ତେବେ ଏହାରି ମଧ୍ୟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି।

ହେମା କହିଛନ୍ତି ଯେ, ହଜାର ହଜାର ସଂଖ୍ୟାରେ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ଚାଷୀମାନେ ଜାଣିନାହାନ୍ତି ନୂଆ କୃଷି ଆଇନରେ ଭୁଲ୍‌ କେଉଁଠି ରହିଛି। ତେବେ ନଜାଣି ଏମିତି ଆନ୍ଦୋଳନ କଲେ କଣ ଲାଭ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ, ବରଂ ଚାଷୀଙ୍କ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟଳୟ ଯେଉଁ ରାୟ ଦେଇଛନ୍ତି ତାହାକୁ ସେ ସ୍ୱାଗତ ବି କରିଛନ୍ତି।

କହିଛନ୍ତି, ଏହି ରାୟ ଚାଷୀଙ୍କୁ ଶାନ୍ତ କରିବାରେ ସହାୟକ ହେବ। ବାରମ୍ବାର ଚାଷୀମାନେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ କୌଣସି ନିଷ୍ପତ୍ତି କି ନିଷ୍କର୍ସ ବାହାରିପାରୁନାହିଁ। କୌଣସି କଥାରେ ସେମାନେ ରାଜି ହେଉନାହାନ୍ତି। ଯଦି ଆଲୋଚନା କରିବା ପରେ ବି ସେମାନେ କିଛି ନଶୁଣିବେ ତେବେ କଣ କରିହେବ ବୋଲି ପ୍ରଶ୍ନ କରିଛନ୍ତି ହେମା। ଏହାସହ ଚାଷୀମାନଙ୍କୁ କେହି ଜଣେ ଉସୁକାଉଥିବା ସେ ସନ୍ଦେହ କରିଥିଲେ ସୁଦ୍ଧା କାହାର ନାଁ ନେଇ ନାହାନ୍ତି।

ତେବେ ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଚାଲିଥିବାବେଳେ କୃଷି ଆଇନକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମୟରେ କୃଷି ଆଇନ ସ୍ଥଗିତ ରଖି ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଯେ, ପର୍ଯ୍ୟନ୍ତ ବିଶେଷଜ୍ଞ କମିଟି ଗଠନ ନ ହୋଇଛି, ସେତେ ଦିନ ପର୍ଯ୍ୟନ୍ତ ଦେଶରେ କୃଷି ଆଇନ ଲାଗୁ ନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି ଏକ୍ସପର୍ଟ କମିଟି ପାଖରେ ଅଭିଯୋଗ କରିବାକୁ ଚାଷୀଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି କମିଟି ରିପୋର୍ଟ ଦେବା ପରେ କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି ।

ଦିଲ୍ଲୀ ସୀମାରେ କୃଷି ଆଇନ ଓ ଚାଷୀଙ୍କ ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଆପୋଷ ବୁଝାମଣାରେ କେନ୍ଦ୍ରର ଭୂମିକାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାହା କିଛି ଚାଲିଛି, ତାକୁ ନେଇ ଆମେ ଆଦୌ ଖୁସି ନୁହଁ ବୋଲି ପ୍ରଧାନ ବିଚାରପତି ଏସ୍. ଏ. ବୋବଡ଼େ କହିଛନ୍ତି ।

You might also like