ବାଧକ ହେବନି କରୋନା: ଠିକ୍ ସମୟରେ ଭାରତରେ ପହଞ୍ଚିବ ରାଫେଲ୍ ଫାଇଟର ଜେଟ୍
ନୂଆଦିଲ୍ଲୀ: ଭାରତକୁ ୩୬ଟି ରାଫେଲ୍ ବିମାନ ଦେବାକୁ କୌଣସି ବିଳମ୍ବ ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ହିଁ ବିମାନ ସପ୍ଲାଏ ହେବ ବୋଲି ଫ୍ରାନ୍ସ ଆମ୍ବାସାଡର ଇମାନୁଏଲ୍ ଲେନାଇନ କହିଛନ୍ତି।
ଅନ୍ୟ ଦେଶଗୁଡ଼ିକ ଭଳି ଫ୍ରାନ୍ସରେ କରୋନା ତାର ପ୍ରଭାବ ଜାରି ରଖିଛି। ଏଠାରେ ୧,୪୫,୦୦୦ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮,୩୩୦ରେ ପହଞ୍ଚିଛି। ତେଣୁ ଏଭଳି ପରିସ୍ଥିତିରେ ରାଫେଲ୍ ସପ୍ଲାଏ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଇମାନୁଏଲ୍ ଏହି ଆଶଙ୍କାକୁ ଦୂର କରିଛନ୍ତି।
ରାଫେଲ୍ ସପ୍ଲାଏ ସମ୍ପର୍କରେ ସୂଚନା ଦେଇ ଇମାନୁଏଲ୍ କହିଛନ୍ତି, “ଚୁକ୍ତି ଅନୁସାରେ, ରାଫେଲ୍ ଡେଲିଭରିର ପୂର୍ବ ନିର୍ଦ୍ଧାରିତ ଟାଇମ୍କୁ ବର୍ତ୍ତମାନ ବି ଗୁରୁତ୍ୱ ଦିଆଯାଉଛି। ତେବେ ଚୁକ୍ତି ଅନୁସାରେ, ପୂର୍ବରୁ ଏପ୍ରିଲ୍ ଶେଷରେ ଏକ ନୂଆ ଏୟାର୍କ୍ରାଫ୍ଟକୁ ଫ୍ରାନ୍ସରେ ଥିବା ଭାରତୀୟ ଏୟାର୍ ଫୋର୍ସକୁ ହସ୍ତାନ୍ତର କରାଯାଇଛି।”
ଗତବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୮ ତାରିଖରେ ପ୍ରଥମ ରାଫେଲ୍ ଜେଟ୍ ଫ୍ରାନ୍ସ ଠାରୁ ଗ୍ରହଣ କରିଥିଲେ। ୨୦୧୬ ସେପ୍ଟେମ୍ବରରେ ୩୬ ରାଫେଲ୍ ଜେଟ୍ କିଣିବା ନେଇ ୫୮ ହଜାର କୋଟି ବ୍ୟୟରେ ଫ୍ରାନ୍ସ ସହିତ ଚୁକ୍ତି କରିଥିଲା ଭାରତ।