କରୋନା ଭାଇରସ୍‌: କେଉଁଠି ବଢେ, କେଉଁଠି ମରେ ସ୍ପଷ୍ଟ କଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ସଂକ୍ରମଣ ଓ ନିୟନ୍ତ୍ରଣ ନେଇ ସୋସିଆଲ ମିଡିଆରେ ଗଦା ଗଦା ଗୁଜବ । କିଏ କହୁଛି ବେଶୀ ଖରା ହେଲେ ଭୂତାଣୁ ମରିଯିବ। କିଏ କହୁଛି, ଉଷୁମ ପାଣି ପିଇଲେ ସଂକ୍ରମଣରୁ ରକ୍ଷା ମିଳିବ। ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ସଚେତନତା ଅଭିଯାନକୁ ଜୋରଦାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗୁଜବରେ ବିଶ୍ୱାସ ନକରିବାକୁ ସଂଗଠନ ପକ୍ଷରୁ ନିବେଦନ କରାଯିବା ସହ ରୋଗ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଆସନ୍ତୁ ଜାଣିବା ବିଶ୍ୱବ୍ୟାପୀ ପ୍ରଚାର ହେଉଥିବା ଗୁଜବ ଓ ଏସମ୍ପର୍କରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ତଥ୍ୟ…

୧- ଅତି ଉଷ୍ଣ ଓ ଆଦ୍ର ପରିବେଶରେ କରୋନା ଭୂତାଣୁ ତିଷ୍ଠି ପାରିବ ନାହିଁ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।  କୋଭିଡ୍-୧୯ ଭୂତାଣୁ ଯେ କୌଣସି ପରିବେଶରେ ସଂକ୍ରମିତ ହୋଇପାରେ । ତେଣୁ ସାମାଜିକ ଦୂରତା ବଜାୟ ରଖିବା ସହ ନିୟମିତ ହାତ ଧୋଇବା ଉପରେ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱାରୋପ କରିଛି।

୨- ଥଣ୍ଡା ଜଳବାୟୁ ଅର୍ଥାତ୍ ବରଫ ପଡୁଥିବା ସ୍ଥାନରେ କରୋନା ଭାଇରସ ତିଷ୍ଠି ପାରେନି ବୋଲି ଯୁକ୍ତି ସହ ସ୍ୱାସ୍ଥ୍ୟ ସଂଗଠନ ଏକମତ ନୁହେଁ। ଥଣ୍ଡା ପରିବେଶରେ ମଧ୍ୟ ମଣିଷ ଶରୀରର ତାପମାତ୍ର ୩୬.୫ରୁ ୩୭ ଡିଗ୍ରୀ ସେଲ୍‌ସିୟସ ରହୁଥିବାରୁ ସବୁବେଳେ ସଂକ୍ରମଣର ଆଶଙ୍କା ରହିଥାଏ।

୩- ଗରମ ପାଣିରେ ଗାଧୋଇଲେ ସଂକ୍ରମଣ ରୋକି ହେବା ନେଇ ପ୍ରଚାରିତ ଗୁଜବରେ ବିଶ୍ୱାସ ନକରିବାକୁ କହିଛି WHO। ଅନ୍ୟପକ୍ଷରେ ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଅନ୍ୟ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦେଖାଦେଇପାରେ ବୋଲି ସତର୍କ କରାଯାଇଛି।

୪- ମଶା କାମୁଡିବା ଦ୍ୱାରା କରୋନା ସଂକ୍ରମଣ ହୁଏ ନାହିଁ। ଏହି କରୋନା ଭାଇରସଟି ମଣିଷ ଶରୀରରୁ ଅନ୍ୟ ଏକ ମଣିଷ ଶରୀରକୁ ଯାଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ଛିଙ୍କରୁ ବାହାରୁଥିବା ତରଳ ପଦାର୍ଥ ଓ କଫ ଦ୍ୱାରା ହିଁ କେବଳ ସଂକ୍ରମଣ ହୁଏ ବୋଲି who ସ୍ପଷ୍ଟ କରିଛି।

୫- ହ୍ୟାଣ୍ଡ ଡ୍ରାୟର ଓ ଅଲଟ୍ରା ଭାୟୋଲେଟ୍ ଲ୍ୟାମ୍ପ ଦ୍ୱାରା କରୋନା ଭାଇରସକୁ ମାରିହେବ ବୋଲି ପ୍ରଚାରିତ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି WHO। ଦେହ ସାରା ଆଲକୋହଲ ଓ କ୍ଲୋରିନ ବୋଳିଲେ କରୋନାରୁ ମୁକ୍ତି ମିଳେ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

You might also like