କିଛି ସମୟ ପରେ ନୂଆ ରାଷ୍ଟ୍ରପତି ପାଇବ ଆମେରିକା

କିଛି ସମୟର ଅପେକ୍ଷା

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟର ଅପେକ୍ଷା ରହିଛି।  ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୦ଟା ବେଳେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ୭୭ ବର୍ଷୀୟ ଜୋ ବାଇଡେନ। ତାଙ୍କ ସହିତ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେବେ କମଳା ହାରିସ୍।

କରୋନା ହେଉ, ଅବା କ୍ୟାପିଟଲ୍ ହିଲ୍ ହିଂସାକାଣ୍ଡ, ଆଜିର ଇନାଗୁରାଲ୍ ସେରିମନି ବହୁ କାରଣରୁ ପୂର୍ବାପେକ୍ଷା ଖୁବ୍ ଭିନ୍ନ ହେବାକୁ ଯାଉଥିବା ବେଳେ, ବାଇଡେନ୍ ରାଷ୍ଟ୍ରପତି ଭାବେ ନିଜର ପ୍ରଥମ ଅଭିଭାଷଣରେ କଣ କହିବେ, ତା ଉପରେ ସାରା ବିଶ୍ୱର ନଜର ରହିଛି। ସେପଟେ କ୍ଷମତା ହାସଲର ପ୍ରଥମ ଦିନରେ ସେ ଟ୍ରମ୍ପଙ୍କ ଏକାଧିକ ନିଷ୍ପତ୍ତିକୁ ଖାରଜ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଉତ୍ସାହିତ ଆମେରିକା। ଉତଫୁଲିତ ଓ୍ୱାଶିଂଟନ। ନୂଆ ରୂପରେ ନ୍ୟାସନାଲ୍ ମଲ୍ ଆଉ କିଛି ସମୟ ପରେ କ୍ୟାପିଟଲ୍ ବିଲ୍ଡିଂରେ ହେବ ବାଇଡେନ୍ ଯୁଗର ଅୟମାରମ୍ଭ। ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇ ଶପଥ ଗ୍ରହଣ କରିବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ। ବାଇଡେନଙ୍କ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟ୍ସ୍ ଏବଂ କମଳା ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇବେ ବୋଲି ସୂଚନା ରହିଛି।

ନିଜ ପରିବାରର ୧୨୭ ବର୍ଷ ପୁରୁଣା ୫ ଇଞ୍ଚ ମୋଟେଇର ବାଇବେଲ୍ ଉପରେ ହାତ ରଖି ଶପଥ ନେବେ ବାଇଡେନ୍, ଯାହାକୁ ଧରିବେ ଫାଷ୍ଟ ଲେଡି ଜିଲ୍ ବାଇଡେନ୍। ବିଦାୟୀ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର କରିବେ। ପପ୍ ସିଙ୍ଗର୍ ଲେଡି ଗାଗାଙ୍କ ଜାତୀୟ ସଂଗୀତ ପରିବେଷଣରୁ ସମାରୋହ ଆରମ୍ଭ ହେବାକୁ ଥିବା ବେଳେ, ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ବାଇଡେନ୍ ଦେଶବାସୀଙ୍କୁ ସମ୍ବୋଧନ କରିବେ। ମୂଳ ଭାରତୀୟ ବିନୟ ରେଡ୍ଡିଙ୍କ ଲିଖିତ ଏହି ଅଭିଭାଷଣର ଥିମ୍ ରହିବ ଆମେରିକା ୟୁନାଇଟେଡ୍। ତେବେ ଗତକାଲି ବାଇଡେନ୍ ନିଜ ରାଜ୍ୟ ଡେଲାେଓ୍ୱର୍ ଛାଡ଼଼ି ଓ୍ୱାଶିଂଟନ୍ ଅଭିମୁଖେ ବାହାରିବା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ ।

ପୂର୍ବରୁ ଇନାଗୁରାଲ୍ ସେରିମନି ବେଳେ ନ୍ୟାସନାଲ୍ ମଲରେ ଅଗଣିତ ଆମେରିକୀୟ ଏକାଠି ହେଉଥିବା ବେଳେ, ଏଥର ୨ଲକ୍ଷ ପତାକା ନୂଆ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। କରୋନା ଯୋଗୁଁ ଜନସମାଗମ ବାରଣ ହୋଇଥିବାରୁ, ସେଠାରେ ଦେଶର ସମସ୍ତ ରାଜ୍ୟ ଓ ପ୍ରାଦେଶିକ ପତାକାକୁ ସଜାଯାଇଛି। ତେବେ ସେକେଣ୍ଡ୍ ଜେଣ୍ଟଲ୍ମ୍ୟାନ୍ ଡଗ୍ଲସ୍ ଏମ୍ହୋଫ୍, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ଡବ୍ଲୁ ବୁଶ୍ ଓ ବିଲ୍ କ୍ଲିଣ୍ଟନ୍ ଏବଂ ସେମାନଙ୍କ ପୂର୍ବତନ ଫାଷ୍ଟ୍ ଲେଡିମାନେ ଉତ୍ସବରେ ଉପସ୍ଥିତ ରହିବେ।

ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ବାଇଡେନ୍ ସେନାର କମାଣ୍ଡର୍ ଇନ୍ ଚିଫ୍ ଭାବେ ଇଷ୍ଟ୍ ଫ୍ରଂଟରେ ପାସ୍-ଇନ୍-ରିଭ୍ୟୁରେ ଯୋଗଦେବେ। ଏହାପରେ ରାଷ୍ଟ୍ରପତି-ଫାଷ୍ଟ୍ ଲେଡି ଏବଂ ଉପରାଷ୍ଟ୍ରପତି-ସେକେଣ୍ଡ୍ ଜେଣ୍ଟେଲ୍ମ୍ୟାନ୍ ଆର୍ଲିଂଟନ୍ ନ୍ୟାସନାଲ୍ ସିମେଟ୍ରିର ଟମ୍ବ୍ ଅଫ୍ ଅନ୍ନୋନ୍ ସୋଲଜରରେ ଶ୍ରଦ୍ଧାଞ୍ଜଳି ଜଣାଇବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ସେମାନେ ହ୍ୱାଇଟହାଉସ ଅଭିମୁଖେ ପ୍ରେସିଡେନ୍ସିଲ୍ ଏସ୍କର୍ଟରେ ଯିବେ। ଆମେରିକା ଇତିହାସର ସମସ୍ତ ଇନାଗୁରାଲ୍ ସେରିମନିରୁ ଏଥରଟି ଖୁବ୍ ଭିନ୍ନ ହେବାକୁ ଥିବା ବେଳେ, ରାଷ୍ଟ୍ରପତି ଟ୍ରମ୍ପ ନିଜ ବିଦାୟୀ ଅଭିଭାଷଣରେ କହିଛନ୍ତି, ଆମେ ତାହାହିଁ କରିଛୁ, ଯାହା ଏଠାକୁ କରିବାକୁ ଆସିଥିଲୁ। ତେବେ ଅଭିଭାଷଣରେ ଥରୁଟିଏ ବି ବାଇଡେନଙ୍କ ନାଁ ନେଇନଥିଲେ ଟ୍ରଂପ୍ ।

You might also like