କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ଆମେରିକା: ଚୀନର ଉହାନରୁ ଆସିଥିବା ମହାମାରୀ କରୋନା ଆମେରିକା ଭଳି ଦେଶକୁ ଗିଳି ସାରିଲାଣି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରୁଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ହସ୍ପିଟାଲ୍‌ର ବେଡ୍ କମ୍‌ ହେବାସହ ଭେଣ୍ଟିଲେଟର ମଧ୍ୟ କମ୍‌ ହେବାକୁ ଲାଗିଲାଣି।

ଆମେରିକାରେ ପରିସ୍ଥିତିର ମୁକାବିଲା ପାଇଁ ଅସ୍ଥାୟୀ ଟେଣ୍ଟ୍‌ର ବ୍ୟବସ୍ଥା କରି କରୋନା ଭାଇରସର ପରୀକ୍ଷା କରାଯାଉଛି। ଅଧିକ ସହାୟତା ପାଇଁ ସେନା ଡକାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପାର୍କଗୁଡ଼ିକୁ ଡାକ୍ତରଖାନାରେ ପରିଣତ କରାଯାଉଛି। ଟ୍ରମ୍ପଙ୍କ ପରାମର୍ଶଦାତା କହିଛନ୍ତି ଯେ କରୋନା ଭାଇରସରେ ଅତି କମ୍‌ରେ ୨ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇପାରେ। ଏହା ସତ୍ତ୍ୱେ ମଧ୍ୟ ଆମେରିକା ସତର୍କ ରହିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଆମେରିକାଏବେ ଯୁଦ୍ଧକାଳୀନ ପରିସ୍ଥିତି ଦେଇ ଗତି କରୁଛି। ଯୁଦ୍ଧକାଳୀନ ଭିତ୍ତିରେ ମେଡ଼ିକାଲ ତିଆରି ପାଇଁ ସେନାର ସାହାଯ୍ୟ ମଗାଯାଉଛି। ଜାଗା ଅଭାବରୁ ସମ୍ମିଳନୀ କେନ୍ଦ୍ର, ରେସ୍ ଟ୍ରାକ୍ ଏବଂ ପବ୍ଲିକ୍ ପାର୍କରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ କରାଯାଉଛି।

ଆମେରିକାର ଅଟୋ କମ୍ପାନୀଗୁଡିକ ଏହି ସମୟରେ କାର ଏବଂ ଗାଡ଼ି ତିଆରି କରିବା ବନ୍ଦ କରି ଏହା ବଦଳରେ ଭେଣ୍ଟିଲେଟର ତିଆରି କରୁଛନ୍ତି। ଏହି ଭେଣ୍ଟିଲେଟରଗୁଡ଼ିକୁ କରୋନାରେ ପୀଡ଼ିତ ଥିବା ଆମେରିକୀୟମାନଙ୍କ ପାଇଁ ବ୍ୟବହାର କରାଯିବ। ଏହା ବ୍ୟତୀତ, ଏହି କମ୍ପାନୀଗୁଡିକ ଚିକିତ୍ସାର ଅନ୍ୟ ଉପକରଣମାନ ତିଆରି କରୁଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆସନ୍ତା ୩୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଯୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ଭୂମିକା ରହିବା ଆବ୍ୟଶକ। ଏହା ହେଉଛି ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ। ଆଗାମୀ ୩୦ ଦିନ ହେଉଛି ଚ୍ୟାଲେଞ୍ଜର ସମୟ। ଆମେ ସମସ୍ତେ ଯଦି ମିଳିମିଶି ଏହି ଭାଇରସ ସହ ଲଢ଼ିବା ତେବେ ଶୀଘ୍ର କରୋନାଠୁ ଜିତିବା ବୋଲି ଟ୍ରମ୍ପ କହିଛନ୍ତି। ଏନେଇ ରାଷ୍ଟ୍ରପତି ଟ୍ରମ୍ପ ଏପ୍ରିଲ ୩୦ ପର୍ଯ୍ୟନ୍ତ ସାମାଜିକ ଦୂରତାକୁ ବଢ଼ାଇଛନ୍ତି।

ଆମେରିକାର ନ୍ୟୁୟର୍କ ସହରର ସେଣ୍ଟ୍ରାଲ ପାର୍କରେ ମାଉଣ୍ଟ ସାଇନା ହସ୍ପିଟାଲ ସହଯୋଗରେ ଏକ ୬୮ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରାଯାଇଛି। ଏହି ଡ଼ାକ୍ତରଖାନାଟି ମଧ୍ୟ ଏକ ଟେଣ୍ଟ୍‌ରେ ତିଆରି ହୋଇଛି। ନ୍ୟୁୟର୍କ ମେୟର ବିଲ୍ ଡି ବ୍ଲାସିଓ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଏହି ମେଡ଼ିକାଲରେ କରୋନା ରୋଗୀଙ୍କ ଟେଷ୍ଟ ହେବା ସହ ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଇପାରିବ। ଆମେରିକାର ନ୍ୟୁୟର୍କ ସହରଟି ଏହି କରୋନା ଭାଇରସରେ ଅଧିକ ପ୍ରଭାବିତ ହୋଇଛି।

You might also like