ଡ୍ରାଏରନର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ମହାଭ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ନିଜେ ଚେନ୍ନାଇ ଗସ୍ତ କରି ଟିକାକରଣ ଡ୍ରାଏ ରନର ସ୍ଥିତି ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଚେନ୍ନାଇ ସମେତ ଦେଶର ୭ ଶହରୁ ଅଧିକ ଜିଲ୍ଲାରେ ଏହି ରିହରସେଲ୍ ହେଉଥିବା ନେଇ ସୂଚନା ରହିଛି। ପ୍ରତି ସେଣ୍ଟରରେ କିଭଳି ସୁବିଧାରେ ଟିକା ପହଞ୍ଚିବ ଏବଂ ଟିକାକରଣ ନେଇ ଯେପରି ଲୋକଙ୍କ ପାଖରେ କୌଣସି ଭୁଲ୍ ତଥ୍ୟ ନ ପହଞ୍ଚେ ସେଥିଲାଗି ସଜାଗ ରହିବାକୁ ପରାମର୍ଶ ବି ଦିଆଯାଇଛି।
ଦେଶରେ ପ୍ରଥମ ଥର ପାଇଁ କୋଭିଡ୍ ଭ୍ୟାକ୍ସିନ ଦିଆଯିବାକୁ ଥିବାରୁ ଫୋକସରେ ଏବେ ରହିଛି ପାର୍ଶ୍ୱ ପ୍ରତିକ୍ରିୟା । ଟିକାକରଣ କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ AEFI କିଟ୍ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ଆମ ରାଜ୍ୟରେ ବି ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍। ଏହା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି। ଏଥର ପ୍ରତି ଜିଲ୍ଲାର ୩ରୁ ୪ଟି ହସ୍ପିଟାଲରେ ଡ୍ରାଏ ରନ୍ ହେଉଛି। ତେବେ ପୂର୍ବରୁ ଜାନୁଆରୀ ୨ରେ ସରିଥିଲା ପ୍ରଥମ ପର୍ଯ୍ୟାୟ ଡ୍ରାଏରନ ଟିକା।
ଟିକା ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
– ରାଜ୍ୟର ୧୧୦ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ଚାଲିଛି
– ସିଏଚ୍ସି , ପିଏଚ୍ସି ଓ ମେଡିକାଲ କଲେଜରେ ଚାଲିଛି ଡ୍ରାଏ ରନ୍
– ୧୧ଟି ଘରୋଇ ହସ୍ପିଟାଲରେ ବି ଚାଲିଛି ଡ୍ରାଏ ରନ୍
– ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଉଛି
– ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅବଜରଭେସନ ରୁମରେ ରଖାଯିବ
– ଖୁବଶୀଘ୍ର ଟିକା ଆସିବ ବୋଲି କେନ୍ଦ୍ର କହିଛି- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ଆଜି ତିନଟି ସ୍ଥାନରେ କୋଭିଡ ଟିକା ପାଇଁ ଚାଲୁଛି ଡ୍ରାଏରନ୍ l ରାଉରକେଲା ସରକାରୀ ଡାକ୍ତରଖାନା, କୋଏଲ ନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜେ. ପିି. ହସ୍ପିଟାଲରେ ଚାଲିଛି ଡ୍ରାଏ ରନ୍ I ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଏ କାମରେ ନିୟୋଜିତ ଡାକ୍ତର ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଉଥିବା ନେଇ ସୂଚନା ରହିଛି।
ତେବେ କରୋନା ଟିକାକୁ ନେଇ ଗତ କିଛିଦିନ ହେଲାଣି ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ଶେଷରେ ଟିକା ଦେବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି। ଏବେ ଦେଖିବାକୁ ବାକି ରହିଲା ଦେଶରେ କେବେଠାରୁ ଓ ପ୍ରଥମେ କାହାକୁ ଟିକା ଦିଆଯାଉଛି।