ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ ବ୍ୟକ୍ତିଗତ ବାହାନ

ନୂଆଦିଲ୍ଲୀ : ବ୍ୟକ୍ତିଗତ ବାହାନ ସର୍ବସାଧାରଣ ସ୍ଥାନ ଅଧୀନରେ ଆସୁନାହିଁ । ହା‌ଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ । Narcotics Drug and Psychotropic Substance ଆକ୍ଟ ଅନୁସାରେ ସର୍ବସାଧାରଣ  ଅଧୀନରେ ବ୍ୟକ୍ତିଗତ ଗାଡ଼ି ଆସୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଭୁଲ ଧାରା ଅଧୀନରେ ମାମଲା ଦାୟର କରାଯାଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏପରିସ୍ଥଳେ ବିନା ସର୍ଚ୍ଚ  ୱାରେଣ୍ଟରେ ବ୍ୟକ୍ତିଗତ ଗାଡ଼ିର ଛାନଭିନ କରାଯାଇ ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି  ଶୀର୍ଷ ଅଦାଲତ ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ଆବେଦନ ଶୁଣାଣି ବେଳେ ଜଷ୍ଟିସ୍ ୟୁୟୁ ଲଲିତ ଏବଂ ଜଷ୍ଟିସ୍ କେ.ଏମ ଜୋସେଫଙ୍କ ଏକ ଖଣ୍ଡପୀଠ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଅଭିଯୁକ୍ତଙ୍କୁ ଏନଡିପିଏସ୍ ଆକ୍ଟ ଅନୁସାରେ ଦଣ୍ଡବିଧାନ କରିଥିଲେ ହାଇକୋର୍ଟ । ମାମଲା ଅନୁସାରେ ଅଭିଯୁକ୍ତ ବୁଟା ସିଂ, ଗୁରୁଦୀପ ସିଂ ଏବଂ ଗୁରୁମୋହିନ୍ଦର ସିଂ ରାସ୍ତା କଡ଼ରେ ଏକ ଜିପ୍‌ରେ ବସିଥିବା ସମୟରେ ପୋଲିସ ତାଙ୍କ ନିକଟରୁ  ଦୁଇ ବସ୍ତା ଅଫିମ ଜବତ କରିଥିଲା । ଚଢ଼ାଉ କରି ଅଫିମ ଜବତ କରିବା ସହ ସେମାନଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା । ନିଜସ୍ୱ ଗାଡ଼ିରେ ଅଫିମ ରଖିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଦଣ୍ଡବିଧାନ ସହ ଏକ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ହାଇକୋର୍ଟର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶୀର୍ଷ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ନିଜସ୍ୱ ଗାଡ଼ି ସର୍ବସାଧାରଣ ସ୍ଥାନ ଅଧିନରେ ଆସୁନାହିଁ ବୋଲି ପକ୍ଷ ରଖିଥିଲେ । ତେବେ ସାକ୍ଷ୍ୟପ୍ରମାଣ ଅଧାରରେ ଜିପଟି ଗୁରୁଦୀପ ସିଂଙ୍କର ଏବଂ ତାଙ୍କ ନାମରେ ପଞ୍ଜିକରଣ ହୋଇଥିବା ଜଣାପଡ଼ିଥିଲା । ଫଳରେ ଏହି ମାମଲା NDPS ଆକ୍ଟର ଧାରା ୪୩ ନୁହଁ ବରଂ ୪୨ରେ ଆସୁଥିବାରୁ  ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସସି ।

ଏହାସହ ଶୀର୍ଷ ଅଦାଲତ କହିଛନ୍ତି, ମନଇଚ୍ଛା କୌଣସି ଗାଡ଼ିରେ ରେଡ଼ କରାଯାଇପାରିବ ନାହିଁ । ଏନଡିପିଏସ୍ ଆକ୍ଟର ଧାରା ୪୨ ଅନୁଯାୟୀ ବ୍ୟକ୍ତିଗତ ଗାଡ଼ି ଉପରେ ଚଢ଼ାଉ କରୁଥିବା ସମୟରେ କାରଣ ଦର୍ଶାଇବାକୁ ପଡ଼ିବ ।  କିନ୍ତୁ ଏହି ମାମାଲାରେ ଚଢ଼ାଉ କରିଥିବା ଅଧିକାରୀମାନେ ଏପରି କିଛି କରିନଥିଲେ ।

ସେହିପରି ଏନଡିପିଏସ୍ ଆକ୍ଟର ଧାରା -୪୩ ଧାରା ଅନୁସାରେ ସର୍ବସାଧାରଣ ସ୍ଥାନରେ ନିଜସ୍ୱ ବାହାନ ଥିଲେ ବିନା ୱାରେଣ୍ଟରେ ଚଢ଼ାଉ କରାଯାଇପାରିବ ଏବଂ ଏଥିପାଇଁ କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ ବୋଲି ନିଜର ପକ୍ଷର ରଖାଥିଲେ ଚଢ଼ାଉ କରିଥିବା ଅଧିକାରୀ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ।

You might also like