ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଲକ୍ଡାଉନ୍ ବେଳେ ଦିଲ୍ଲୀରୁ ଶ୍ରମିକଙ୍କ ପଳାୟନ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶ୍ରମିକଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥାର ଅନୁଧ୍ୟାନ ଓ ତଦାରଖ ଲାଗି ଏକ ବିଶେଷଜ୍ଞ କମିଟି ୨୪ ଘଣ୍ଟା ମଧ୍ୟରେ ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏହାସହ ଶ୍ରମିକମାନେ ଲକ୍ଡାଉନ୍ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଯେପରି ସଠିକ ତଥ୍ୟ ପାଇପାରିବେ, ତାହାର ବନ୍ଦୋବସ୍ତ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି। ସୋସିଆଲ ମିଡିଆରେ ଯେପରି ଭୁଲ ତଥ୍ୟ ବା ମିଛ ଖବର ପ୍ରସାରଣ ନ ହେବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି।
ଲକଡାଉନ ପରେ ଖାଦ୍ୟ ପାନୀୟ ଓ ରୋଜଗାର ସମସ୍ୟା ଆଶଙ୍କାରେ ହଜାର ହଜାର ଶ୍ରମିକ ଦିଲ୍ଲୀ ଛାଡୁଥିବା ଦେଖିବାକୁ ମିଳିଥିଲା। ଏଣୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।
ଏହାର ଶୁଣାଣିବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସତ୍ୟପାଠ ଦାଖଲ କରି କହିଥିଲେ ଯେ, କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଇଥିବାରୁ ଆଉ କୌଣସି ଶ୍ରମିକ ପଳାୟନ କରୁନାହାନ୍ତି ସେମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀରେ ନେଇ ରଖାଯାଇଥିବା କହିଛନ୍ତି।