ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି
ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ବାତ୍ୟା ‘ନିଭାର’। ଘଣ୍ଟା ପ୍ରତି ୬ କି.ମି. ବେଗରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଉଛି।
ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁପାରେ ‘ନିଭାର’। ପୁଡୁଚେରୀର କରାଇକେଲ୍ରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ପବନର ବେଗ ୧୫୫ କିଲୋମିଟର ଯାଏ ମଧ୍ୟ ବଢ଼ିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ଜାରି ରହିଛି। ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷେ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ଅନେକ ଟ୍ରେନ୍ ବାତିଲ କରାଯାଇଛି।
ତେବେ ଓଡ଼ିଶାରେ ନିଭାରର ବିଶେଷ ପ୍ରଭାବ ପଡ଼ିବନି। ଆଜି ଓ କାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।