କାଳ ହେଲା ନିର୍ବାଚନ ଡ୍ୟୁଟି : ୧୦ ଦିନର ସଂଘର୍ଷ ପରେ ଆଖି ବୁଜିଲେ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲ

ମା’ ଚାଲିଗଲା ପରେ ସାହାରା ଖୋଜୁଛି ଏକମାତ୍ର ଦିବ୍ୟାଙ୍ଗ ଝିଅ

ସୁଲତାନପୁର : ନିର୍ବାଚନ ଡ୍ୟୁଟିରୁ ଘରକୁ ଫେରିବା ପରେ ଜୀବନ ନେଇଗଲା ମହାମାରୀ । ତିନି ଦିନ ଧରି ଘରେ ସଂକ୍ରମଣରେ ଛଟପଟ ହେବାପରେ, ପରିବାର ଲୋକେ ତାଙ୍କୁ ପ୍ରୟାଗରାଜ ହସ୍ପିଟାୟଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସାତ ଦିନ ଅଦୃଶ୍ୟ ଭାଇରସ୍ ସହ ଅହରହ ଯୁଦ୍ଧ କରିବା ପରେ ଶେଷରେ ଆଖି ବୁଜିଲେ ପ୍ରାଇମେରୀ ସ୍କୁଲର ପ୍ରିନ୍ସିପାଲ । ମୃତକ ପ୍ରିନ୍ସିପାଲଙ୍କର ଏକ ମାତ୍ର ଝିଅ ଜନ୍ମରୁ ଦିବ୍ୟାଙ୍ଗ । ମା’ ଚାଲିଗଲା ପରେ ବେସାହାରା ହୋଇ ମା’କୁ ଖୋଜି ବୁଲୁଛି ଝିଅ । ଉତ୍ତରପ୍ରଦେଶର ସୁଲତାନପୁରରେ ଦେଖିବାକୁ ମିଳିଛି ଏମିତି ହୃଦୟ ବିଦାରକ ଘଟଣା ।

ସୁଲତାନପୁର ସହରର ଦିୱା ମୋହାଲାସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟର ପ୍ରିନ୍ସିପାଲ ଥିଲେ ଫରିଦା ସିଦ୍ଦିକି । ସେ ଏଜୁକେସନ୍ କଲୋନୀରେ ସପରିବାରେ ରହୁଥିଲେ। ଏପ୍ରିଲ ୧୯ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫରିଦା ସିଦ୍ଦିକି ଟ୍ରେନିଂ ନେବାକୁ ଯାଉଥିଲେ, ସେତେବେଳେ ତାଙ୍କର ଜ୍ୱର ହୋଇଥିଲା। ଏବଂ ଭୋଟ ଗଣତି ପାଇଁ ଦୋସ୍ତପୁର ବ୍ଲକର ପ୍ରାଥମିକ ବିଦ୍ୟାଳୟ ମୁସ୍ତାଫାବାଦ ଠାରେ ତାଙ୍କର ଡ୍ୟୁଟି ପଡ଼ିଥିଲା ।

ତେବେ ଜ୍ୱରରେ ପୀଡିତ ହେବାପରେ ଡ୍ୟୁଟି ଯିବାକୁ ସେ ରାଜି ହୋଇନଥିଲେ । ସ୍ୱାମୀ ମୁଶୀର ଅହମ୍ମଦଙ୍କ କହିବା ଅନୁସାରେ, କାଦିପୁରର ଆରଓ ଏବଂ ନାଏବ ତହସିଲଦାରଙ୍କୁ ଡ୍ୟୁଟି କରିପାରିବେ ନାହିଁ ବୋଲି ଅନୁରୋଧ କରିଥିଲେ। କିନ୍ତୁ ଉପରିସ୍ଥ ଅଧିକାରୀମାନେ ଛୁଟି ଦେବା ପାଇଁ ସଫା ସଫା ମନା କରି ଦେଇଥିଲେ । ଶେଷରେ ବାଧ୍ୟ ହୋଇ ସେ ଡ୍ୟୁଟି କରିଥିଲେ । ନିର୍ବାଚନରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେପଟେ ହସ୍ପିଟାଲରେ ବେଡ ନମିଳିବାରୁ ତାଙ୍କୁ ଘରେ ରଖି ଚିକିତ୍ସିତ ହେବାକୁ ପଡ଼ୁଥିଲା ।

ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାରୁ ପରିବାର ଲୋକେ ତାଙ୍କୁ ନେଇ ପ୍ରୟାଗରାଜ ଚାଲି ଯାଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ଫରିଦା ସିଦ୍ଦିକିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ହେଲେ ଏପ୍ରିଲ ୩୦ ରେ ହଠାତ ସେ ଗୁରୁତର ହୋଇଗଲେ ଏବଂ ସବୁଦିନ ପାଇଁ ଆଖି ବୁଜିଦେଲେ । ମା ଚାଲିଯିବା ପରେ ୨୩ ବର୍ଷୀୟ ଦିବ୍ୟାଙ୍ଗ ଝିଅ ଏବେ ମା’କୁ ଖୋଜୁଛି । ପିଲା ବେଳୁ ନିଜେ ଚାଲିବାରେ ଅସମର୍ଥ ଥିବାବେଳେ ସବୁ ବେଳେ ଆଶାବାଡ଼ି ସାଜିଥିବା ମା’ ବି ଚାଲିଗଲା । ଝିଅକୁ ଏବେ ସମ୍ଭାଳିବ କିଏ । ଅନ୍ୟପଟେ ଏ ମାମଲା ନେଇ କୋର୍ଟ ଯିବି ବୋଲି କହିଛନ୍ତି ମୃତକଙ୍କ ସ୍ୱାମୀ ।

You might also like