କୋଭିସିଲ୍ଡ ଓ କୋଭାକ୍ସିନର ଦର କମିପାରେ

ନୂଆ ଦର ଘୋଷଣା କରିପାରନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍

ନୂଆଦିଲ୍ଲୀ : କେଇଟା ଦିନ ପରେ ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ତେବେ ଏ ଭିତରେ ସୂଚନା ମିଳିଛି, ରାଜ୍ୟ ସରକାର ଓ ଘରୋଇ ମେଡିକାଲ୍ ଗୁଡ଼ିକ ପାଇଁ ଟିକା ନିର୍ମାତା ମାନେ ଧାର୍ଯ୍ୟ କରିଥିବା ଦର ହ୍ରାସ କରିପାରନ୍ତି । ଏପଟେ ମେ ପହିଲାରେ ଋଷରୁ ଭାରତକୁ ଆସିବାକୁ ଥିବା ସ୍ପୁଟନିକ୍-ଭି ଟିକାକୁ ନେଇ ମଧ୍ୟ ଆଶା ବଢ଼ିଛି ।

କମିପାରେ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଦର । ପରିବର୍ତ୍ତିତ ନୂଆ ଦର ଘୋଷଣା କରିପାରନ୍ତି  ଏହି ୨ଟି ଟିକାର ନିର୍ମାତା କଂପାନୀ ସେରମ୍ ଇନଷ୍ଟିଚ୍ୟୁଟ  ଓ ଭାରତ ବାୟୋଟେକ୍ । ଯଦିଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକା ଘୋଷଣା କରିସାରିଛନ୍ତି, ତଥାପି ରାଜ୍ୟ ସରକାରମାନେ ଟିକାର ଚଢ଼ା ଦର ଓ ଦର ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦେଶ ସଂକଟ ଭିତର ଦେଇ ଗତି କରୁଥିବା ବେଳେ, ଏହା ମୁନାଫା କମାଇବାର ବେଳ ନୁହେଁ ବୋଲି ସମାଲୋଚନା କରିଥିଲେ ବିଭିନ୍ନ ରାଜ୍ୟ ।

ଏହାପରେ ଟିକା ଦରକୁ ନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା କଂପାନୀମାନଙ୍କୁ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରର ପୁନର୍ବିଚାର କରିବାକୁ କୁହାଯାଇଛି । ଏବେ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ପାଇଁ କୋଭିସିଲ୍ଡର ଡୋଜ୍ ପିଛାର ଦର ୪ଶହ ଓ ୬ଶହ ଟଙ୍କା ଏବଂ କୋଭାକ୍ସିନ୍ ଦର ୬ଶହ ଓ ୧୨ଶହ ଟଙ୍କା ଥିବା ବେଳେ, ଖୁବଶୀଘ୍ର ଏହା ହ୍ରାସ ପାଇପାରେ ବୋଲି ଆଶା ରହିଛି ।

ଦେଶରେ ଏବେ କୋଭିସିଲ୍ଡ ଓ କୋଭାକ୍ସିନ କରୋନା ଟିକା ପ୍ରଚଳିତ ଥିବା ବେଳେ, ସ୍ପୁଟନିକ୍-ଭିକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇସାରିଛି DCGI । ସୂଚନା ମିଳିଛି ମେ ପହିଲାରେ ଭାରତକୁ ମିଳିବ ଏହି ଋଷୀୟ ଟିକା ସ୍ପୁଟନିକ୍-ଭି । ଋଷିଆରୁ ଭାରତକୁ ଆସିବ ପ୍ରଥମ ଫେଜ୍ ଭ୍ୟାକସିନ୍ ।


ସେପଟେ ଦେଶର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । କରୋନାର ମୁକାବିଲା ପାଇଁ ଦେଶରେ ଆବଶ୍ୟକ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନର ଉପଲବ୍ଧତା ଏବଂ ଅକ୍ସିଜେନ୍ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହି ବୈଠକରେ ଅକ୍ସିଜେନ୍ ଯୋଗାଣ ଲାଗି କାମ କରୁଥିବା କ୍ଷମତାସମ୍ପନ୍ନ ଗୋଷ୍ଠୀ, ଦେଶର ଅକ୍ସିଜେନ୍ ଅଭାବ ଦୂର କରିବା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ରାଜ୍ୟମାନଙ୍କୁ ମଧ୍ୟ ଅକ୍ସିଜେନ୍ କୋଟା ବଢାଇଯାଇଥିବା ଏହି ବୈଠକରେ ସୂଚନା ଦିଆଯାଇଛି ।

You might also like