• translate
Satyendu Shekher Mishra

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ (ପିଏନବି ସ୍କାମ) ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସି ଡୋମିନିକାରୁ ଗିରଫ ହୋଇସାରିଛି । ଏହା ଆମେ ସମସ୍ତେ ଜାଣନ୍ତି । ତେବେ ବର୍ତ୍ତମାନ ମିଳିଥିବା ଖବର ଅନୁଯାୟୀ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ଆଣ୍ଟିଗା ଏବଂ ବାରବୁଡ଼ା ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ କହିଛନ୍ତି ଯେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମେହୁଲ ଚୋକସିଙ୍କୁ ଭାରତ ପଠାଯାଇ ପାରେ । ଏବେ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ  ମେହୁଲ ଚୋକସିଙ୍କୁ ଡୋମିନିକାରୁ ସିଧାସଳଖ ଭାରତ ଅଣାଯିବର ବ୍ୟବସ୍ଥା କରାଯାଉଛି ।

ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ, ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ସିଧାସଳଖ ଭାରତ ପଠାଇବା ପାଇଁ ପଡୋଶୀ ଦେଶ ଡୋମିନିକାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ମଙ୍ଗଳବାର ରାତିରେ ଡୋମିନିକାରେ ଚୋକସିଙ୍କ ଗିରଫଦାରୀ ଖବର ପାଇବା ପରେ ବ୍ରାଉନେ ଡୋମିନିକା କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଦେଇଥିବା ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବ୍ରାଉନେ କହିଥିଲେ ଯେ, ଚୋକସିଙ୍କୁ ଏଣ୍ଟିଗୁଆ ପଠାଇବା କିଛି ଆବଶ୍ୟକ ନାହିଁ । ତାଙ୍କୁ ସିଧା ସଳଖ ଭାରତ ପଠାଯାଉ । ସେଠାରେ ତାଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ସାମ୍ନା କରିବାକୁ ସୁଯୋଗ ଦିଆଯାଉ ।

ବ୍ରାଉନେ ସୂଚାଇ ଦେଇଛନ୍ତି ଯେ ଆଣ୍ଟିଗୁଆ ଏବଂ ବାରବୁଡ଼ାରେ ଚୋକସିଙ୍କ ଯେଉଁଭଳି ଅଧିକାର ରହିଛି, ସେଭଳି ଅଧିକାର  ତାଙ୍କର ଡୋମିନିକାରେ ନାହିଁ । ୨୦୧୭ରେ ନାଗରିକତ୍ୱ ଗ୍ରହଣ କରିବା ପରେ, ସେ ୨୦୧୮ରୁ ଆଣ୍ଟିଗୁଆ ଏବଂ ବାରବୁଡାରେ ରହିଆସୁଥିଲେ । ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଚୋକସିଙ୍କୁ ସିଧାସଳଖ ଭାରତ ପଠାଇବା ଡୋମିନିକା ପାଇଁ ସହଜ ହେବ । ନିକଟରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ଚୋକସି ଫେରାର ହୋଇଯାଇଥିଲେ । ପରେ ଇଣ୍ଟରପୋଲ ତାଙ୍କ ବିରୋଧରେ ୟେଲୋ ନୋଟିସ ଜାରି କରିଥିଲା ଏବଂ ପରେ ସେ ଡୋମିନିକାରୁ ଗିରଫ ହୋଇଥିଲେ । ଇଣ୍ଟରପୋଲ ନିଖୋଜ ଥିବା ଲୋକଙ୍କ ଠିକଣା ପାଇବା ପାଇଁ ୟେଲୋ ନୋଟିସ ଜାରି କରିଥାଏ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ କରି ଚୋକ୍‌ସି ଫେରାର ଥିବା ନେଇ ମାମଲା ରହିଛି । ଚୋକ୍‌ସିଙ୍କୁ ରବିବାର ଆଣ୍ଟିଗୁଆ ଏବଂ ବାରବୁଡାରେ ଏକ କାରରେ ରାତ୍ରୀ ଭୋଜନ ପାଇଁ ଯାଉଥିବାର ଦେଖାଯାଇଥିଲା । ଚୋକସିଙ୍କ କାର ମିଳିବା ପରେ ତାଙ୍କର ଜଣେ କର୍ମଚାରୀ କହିଥିଲେ ସେ ନିଖୋଜ  ଅଛନ୍ତି । ଅନ୍ୟପଟେ ତାଙ୍କ ଓକିଲ ବିଜୟ ଅଗ୍ରୱାଲ କହିଥିଲେ ଯେ, ଚୋକସି ରବିବାର ଠାରୁ ନିଖୋଜ ଅଛନ୍ତି । ଚୋକସିଙ୍କ ନିଖୋଜ ଖବର କାରିବିଆନ୍ ଦ୍ୱୀପ ଦେଶରେ ଚହଳ ସୃଷ୍ଟି କରିଥିଲା । ଆଣ୍ଟିଗୁଆ ଏବଂ ବାରବୁଡ଼ା ସଂସଦରେ ମଧ୍ୟ ବିୋଧୀମାନେ ଚୋକସିଙ୍କ ପ୍ରସଙ୍ଗ ଉଠାଇଥିଲେ ।

Other Stories