କରୋନା ମୃତକଙ୍କୁ ଏମିତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲା ‘ଦି ନ୍ୟୁୟର୍କ ଟାଇମ୍ସ’
ୱାଶିଂଟନ: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଛି ଆମେରିକାର ଲୋକପ୍ରିୟ ଖବର କାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ । ଆଜି ପ୍ରକାଶ ପାଇଥିବା ସଂସ୍କରଣର ପ୍ରଥମ ପୃଷ୍ଠାରେ କୋରନା ମୃତ ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛି ଦ ନ୍ୟୁୟର୍କ ଟାଇମ୍ସ।
ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଆଡ଼କୁ ଗତି କରୁଥିବା ବେଳେ ଏଭଳି ଢଙ୍ଗରେ ଆଜି ସମ୍ମାନ ଦିଆଯାଇଛି। ଖବରକାଗଜର ରାଷ୍ଟ୍ରୀୟ ସମ୍ପାଦକ ମାର୍କ ଲେସି କହିଛନ୍ତି, ମୁଁ ଏମିତି କିଛି ଚାହୁଁଥିଲି, ଯାହା ୧୦୦ବର୍ଷ ପରେ ଲୋକ ପଛକୁ ଫେରି ଚାହିଁଲେ ଜାଣିପାରିବେ ଆମେ କେମିତି ସମୟ ଦେଇ ଗତି କରୁଥିଲୁ।
‘ଦ ନ୍ୟୁୟର୍କ ଟାଇମ୍ସ’ର ଏହି ପ୍ରଥମ ପୃଷ୍ଠାଟି ଆଜି ସମସ୍ତଙ୍କ ମନକୁ ଛୁଇଁଛି। ପ୍ରକାଶ ପାଇଥିବା ମୃତକଙ୍କ ନାଁ ଯେମିତି ସମସ୍ତଙ୍କ ମନକୁ ଭିଜାଇ ଦେଇଛି। ଉପରେ ହେଡିଂରେ ପ୍ରକାଶ ପାଇଛି ‘ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦୦,୦୦୦, ଏକ ହିସାବ କରି ହେଉ ନଥିବା କ୍ଷତି।’
ଏହା ତଳକୁ କରୋନା ମୃତକଙ୍କୁ ସମ୍ମାନ ଜଣାଇ ୧ ଲକ୍ଷ ମୃତକଙ୍କ ମଧ୍ୟରୁ ୧ ହଜାର ନାମ ପ୍ରକାଶ କରିଛନ୍ତି ଯାହା ସମୁଦାୟ ମୃତ୍ୟ ସଂଖ୍ୟାର ଏକ ପ୍ରତିଶତ ହେବ। ଏଥି ସହିତ ସଂକ୍ଷେପ ମାତ୍ର ହୃଦୟସ୍ପର୍ଶୀ ଭାଷାରେ ଉଲ୍ଲେଖ ରହିଛି ‘ଏହି ୧୦୦୦ ଲୋକ ସମୁଦାୟ ସଂଖ୍ୟାର ମାତ୍ର ୧ ପ୍ରତିଶତ, ତେବେ ଏହା ଖାଲି ଏକ ସଂଖ୍ୟା ନୁହେଁ, ଏମାନେ ଅମର‘।
ଗତ ୪୦ ବର୍ଷ ମଧ୍ୟରେ ଦି ନୁ୍ୟ ୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ବିନା ଫଟୋରେ ପ୍ରକାଶ ପାଇଛି ବୋଲି ସଂସ୍ଥା ପକ୍ଷରୁ କହୁଯାଇଛି ।
ବିଶ୍ୱରେ ସବୁଠୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଆମେରିକାରେ। ମୃତ୍ୟୁ ସଂଖ୍ୟା ମଧ୍ୟ ଆମେରିକାରେ ଅଧିକ। ଦେଶରେ ବର୍ତ୍ତମାନ ୧୬ ଲକ୍ଷ ୬୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୮ ହଜାର ୬୮୩ ଜଣଙ୍କ ମୃତ୍ୟୁ ହୋଇଛି ।