ମୁଖ୍ୟମନ୍ତ୍ରୀମାନଙ୍କଠାରୁ ପରାମର୍ଶ ଲୋଡ଼ିଲେ ମୋଦି; କହିଲେ ପରାମର୍ଶ ଦିଅନ୍ତୁ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଜାରି ରହିଥିବାବେଳେ ଆଗକୁ ଲକ୍‌ଡାଉନ୍ ବଢ଼ିବ ନା ନାହିଁ, ସେନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ମତାମତ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିଲା ଏହି ଆଲୋଚନା। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୨୪ ଘଣ୍ଟା ଉପଲବ୍ଧ ଅଛି। ଆପଣମାନେ ଯେ କୌଣସି ସମୟରେ ମୋତେ ପରାମର୍ଶ ଦେଇପାରିବେ। ବର୍ତ୍ତମାନ ସ୍ଥିତିରେ କାନ୍ଧକୁ କାନ୍ଧ ମିଶାଇ କରୋନା ବିରୋଧରେ ଲଢ଼େଇ କରିବାକୁ ହେବ ବୋଲି ମୋଦି କହିଛନ୍ତି।

ଏହି ଭିଡିଓ କନ୍‌ଫୋରେନ୍ସିଂ ଆଲୋଚନାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ଅବଧି ବଢ଼ାଇବା ଉପରେ ମତ ରଖିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲକ୍‌ଡାଉନ୍‌କୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଚିତ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ସ୍ତରରେ ହେବା ଦରକାର। ରାଜ୍ୟସ୍ତରରେ ନିଷ୍ପତ୍ତି ନେଲେ ପ୍ରଭାବଶାଳୀ ହୋଇନପାରେ ବୋଲି କହିଛନ୍ତି କେଜ୍ରିୱାଲ।

ସେହିପରି ଟ୍ରେନ୍, ବିମାନ କିମ୍ବା ଅନ୍ୟ କୌଣସି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ୍ ଲଗାଯିବା ଦରକାର ବୋଲି କେଜ୍ରିୱାଲ୍ କହିଛନ୍ତି।

୩ ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଥିଲେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଓ ବିଭିନ୍ନ ରାଜ୍ୟ ପକ୍ଷରୁ ଲକଡାଉନ ଅବଧି ବୃଦ୍ଧି ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା।

ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଉତ୍ତପ୍ରଦେଶ ଓ ଛତିଶଗଡ ସରକାରଙ୍କ ପକ୍ଷରୁ ମଧ୍ୟ ଲକଡାଉନ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ମିଳିଥିଲା। ତା ପୂର୍ବରୁ ଗୁରୁବାରଠାରୁ ପ୍ରଥମେ ଓଡିଶା ଏବଂ ପରେ ପଞ୍ଜାବ, ରାଜସ୍ଥାନ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇଛନ୍ତି।

ତେବେ ଆଜିର ଭିଡିଓ କନ୍‌ଫରେନ୍ସରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଉପରେ ଏନେଇ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।

You might also like