ପାକିସ୍ତାନରେ ସାମ୍ବାଦିକ ଡାନିଏଲ ହତ୍ୟା ମାମଲା; ଚଞ୍ଚଲ୍ୟକର ତଥ୍ୟ ଦେଲେ ମୁଖ୍ୟ ଅଭିଯୁକ୍ତ

ଇସ୍‌ଲାମବାଦ୍‌: ପାକିସ୍ତାନରେ ଆମେରିକୀୟ ସାମ୍ବାଦିକ ଡାନିଏଲ ପଲ ହତ୍ୟା ଘଟଣାକୁ  ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାର ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟ ଅଭିଯୁକ୍ତ କହିଛନ୍ତି, ଏହି ହତ୍ୟାକାଣ୍ଡରେ ତାଙ୍କୁ ‘ବଳି କା ବକରା’ ବନାଯାଇଛି।  ପ୍ରକୃତ ଅପରାଧୀ ଅନେକ ଦୂରରେ।  ତାଙ୍କୁ ଦଣ୍ଡ ଦିଆଯାଉଛି।  ସେ କହିଛନ୍ତି ଏହି ହତ୍ୟାକାଣ୍ଡର ପ୍ରକୃତ ଷଡଯନ୍ତ୍ରକାରୀ ଜଣେ କରାଚୀ ଆତଙ୍କବାଦୀ।

ସାମ୍ବାଦିକ ଡାନିଏଲ ପଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ହାତ ଲେଖା ଏକ ଚିଠି ପାକିସ୍ତାନ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛନ୍ତି ଡାନିଏଲ ପିତାମାତାଙ୍କ ଓକିଲ। ଆମେରିକାର ଚାପରେ ତାଙ୍କୁ ଗିରଫ କରାଯାଇଛି। ପ୍ରକୃତ ଷଡଯନ୍ତ୍ରକାରୀ କରାଚିର କୁଖ୍ୟାତ ଆତଙ୍କବାଦୀ ବୋଲି ସେ ଏହି ଚିଠିରେ ଉଲ୍ଲଖ କରିଛନ୍ତି।

ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ସାମ୍ବାଦିକ ଡାନିଏଲ (୩୮)ଙ୍କୁ ୨୦୦୨ରେ ପାକିସ୍ତାନରେ ଅପହରଣ କରାଯିବା ପରେ ତାଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା।  ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଅଲ କାଏଦା ମଧ୍ୟରେ ଥିବା ସମ୍ପର୍କ ଉପରେ ଡାନିଏଲ  ଏକ ଖବର ପ୍ରକାଶ କରିଥିଲେ।  ବ୍ରିଟିଶ ମୂଳ ଅଲ କାଏଦାର ନେତା ଅହମ୍ମଦ ଓମାର ସଇଦ ଶେଖ ଏବଂ ତାଙ୍କର ତିନି ସହଯୋଗୀ ଡାନିଏଲଙ୍କ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏପ୍ରିଲ ମାସରେ ସେ ସିନ୍ଧ ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ, ଯାହା ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି।

‘ଏକ୍ସପ୍ରେସ ଟ୍ରିବ୍ୟୁନ୍’ ଖବର ଅନୁଯାୟୀ ଡାନିଏଲଙ୍କ ପିତାମାତାଙ୍କ ଓକିଲ ଫୈଜଲ ସିଦ୍ଦିକି କୋର୍ଟରେ ଏକ ହାତଲେଖା ପତ୍ର ଉପସ୍ଥାପନ କରିଛନ୍ତି। ଏଥିରେ ଶେଖ ଦାବି କରିଛନ୍ତି ଯେ ପ୍ରକୃତ ଅପରାଧୀ ହେଉଛନ୍ତି କରାଚି ଆତଙ୍କବାଦୀ ଅତାଉର ରହମାନ। ସିଦ୍ଦିକି କହିଛନ୍ତି ଯେ, ଏହି ଚିଠି ୧୯  ଜୁଲାଇ ୨୦୧୯ ରେ ସିନ୍ଧ ହାଇକୋର୍ଟରେ ଉପସ୍ଥାପିତ  କରାଯାଇଥିଲା।

ଡାନିଏଲ ହତ୍ୟା ମାମଲାରେ ଚାରି ଅଭିଯୁକ୍ତଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଆବେଦନ ଶୁଣାଣି ସମୟରେ ଏହି ଚିଠି ଉପସ୍ଥାପନ କରାଯାଇଥିଲା। ଏବେ ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ହାଇକୋର୍ଟଙ୍କ ରାୟ ବିରୋଧରେ ସିନ୍ଧ ସରକାର ଏବଂ ଡାନିଏଲଙ୍କ ପିତାମାତା ତଥା ଅନ୍ୟ ସମ୍ପର୍କୀୟ କରିଥିବା ଆବେଦନ ଉପରେ ଶୁଣାଣି କରୁଛନ୍ତି।  ଜାନୁଆରୀ ୪ରେ ସର୍ବୋଚ୍ଚ ନ୍ୟାୟାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେବେ।

ଶେଖ ତାଙ୍କ ଚିଠିରେ କହିଛନ୍ତି ଯେ୨୦୦୨ ମସିହାରୁ ସେ ଜେଲରେ ଅଛନ୍ତି। ସେ ଡାନିଏଲଙ୍କ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏକଥା ସମସ୍ତେ ଜାଣନ୍ତି,  ସେ ନା ଡାନିଏଲଙ୍କୁ ଅପହରଣ କରିଛନ୍ତି ନା ହତ୍ୟା କରିଛନ୍ତି। ଏହାକୁ ଆମେରିକା ସରକାର ତଥା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ତାଙ୍କ ପୁସ୍ତକରେ ସ୍ୱୀକାର କରିଛନ୍ତି। ଶେଖ ଲେଖିଛନ୍ତି ଯେ ତାଙ୍କ ଭୂମିକା ସାମାନ୍ୟ ଥିଲା, ତାଙ୍କୁ ଫାଶୀ ଦିଆଯିବା ଉଚିତ୍ ନୁହେଁ।

ଚିଠିରେ ସେ ଆହୁରି ଲେଖିଛନ୍ତି, ସେହି ସମୟରେ (୨୦୦୨ରେ) ପାକିସ୍ତାନ ସରକାରଙ୍କ ଉପରେ ଚାପ ଏତେ ଅଧିକ ଥିଲା ଯେ ସେହି ଚାପକୁ ହ୍ରାସ କରିବା ପାଇଁ ଶେଖଙ୍କୁ “ବଳି କା ବକ୍‌ରା” ଭାବରେ ବ୍ୟବହାର କରାଯାଇଥିଲା। ଶେଖ ଦାବି କରିଛନ୍ତି, ଡାନିଏଲଙ୍କ ଅପହରଣ ଓ ହତ୍ୟା ମାମଲାରେ ମୋ ବିରୋଧରେ ମିଥ୍ୟା ପ୍ରମାଣ ତିଆରି କରାଯାଇଥିଲା।

କିନ୍ତୁ ପ୍ରକୃତ ଦୋଷୀ ଅତାଉର ରହମାନ ଗିରଫ ହୋଇଥିଲେ ମଧ୍ୟ ତାଙ୍କୁ କୋର୍ଟ ଚାଲାଣ କରାଯାଇ ନାହିଁ। କାରଣ ଏପରି କରାଗଲେ  ମିଥ୍ୟା ପ୍ରମାଣ ସାମ୍ନାକୁ ଆସିଯିବ ଯାହା ମୋତେ ଦୋଷୀ ସାବ୍ୟସ୍ତ କରିବା ପାଇଁ ମୁଶରଫ ସରକାର ବ୍ୟବହାର କରିଥିଲେ। ” ଏଠି କହିରଖିବୁ, ରେହମାନଙ୍କ ନାଁରେ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା।

You might also like