ନୂଆଦିଲ୍ଲୀ: ଜଳ ଅମୃତଠାରୁ ବି ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ଆମ ମାନଙ୍କ ପାଇଁ ଜୀବନ ଓ ଆସ୍ଥା। ତେଣୁ ବର୍ଷା ଜଳର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ଆଜି ୭୪ତମ ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ଆତ୍ମନିର୍ଭର ଭାରତର ମନ୍ତ୍ର ଏବେ ଗାଁ ଗାଁରେ ପହଞ୍ଚିଛି। ନିଜ ଦେଶର ସାମଗ୍ରୀକୁ ନେଇ ସବୁବେଳେ ଗର୍ବ କରିବା ଉଚିତ୍।

ସେହିପରି ଆଗକୁ ବାର୍ଷିକ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବି ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ଓ୍ୱରିୟର ନହୋଇ ଓ୍ୱାରିୟର ହୁଅନ୍ତୁ। ହସି ହସି ପରୀକ୍ଷା ହଲକୁ ପ୍ରବେଶ କରନ୍ତୁ ଓ ଖୁସି ଖୁସିରେ ପରୀକ୍ଷା ଦେଇ ଫେରନ୍ତୁ। କରୋନା ପୁଣି କୋପ ଦେଖାଇବା ଆରମ୍ଭ କରିଥିବାରୁ ସମସ୍ତେ ସଚେତନ ରହିବାକୁ ବି ଦେଶବାସୀଙ୍କୁ ପରାମର୍ଶ ଦେବା ସହ କରୋନାକୁ ନେଇ ଯାହା ବି ନିୟମ ଅଛି ପାଳନ କରିବା ଉଚିତ୍ ବୋଲି କହିଛନ୍ତି ମୋଦି। ମନ୍-କୀ -ବାତ୍ ଆରମ୍ଭରେ ନଦୀ ସଭ୍ୟତାର ବିକାଶ ସହ ଦେଶ ସଂସ୍କୃତିର ବିକାଶ ହୋଇଥିବା ଓ ମାଘ ପୂର୍ଣ୍ଣିମାର ମହତ୍ୱ କଥା ବି କହିଥିଲେ ମୋଦି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ, ସଦ୍ୟତମ ଗଣନା ଅନୁସାରେ, କାଜିରଙ୍ଗା ଜାତୀୟ ଉଦ୍ୟାନରେ ସମୁଦାୟ ୧୧୨ ପ୍ରଜାତିର ପକ୍ଷୀ ଦୃଶ୍ୟମାନ ହୋଇଛନ୍ତି। ଏହାର କାରଣ ହେଉଛି ଜଳ ସଂରକ୍ଷଣ ଏବଂ ସ୍ୱଳ୍ପ ମାନବୀୟ ହସ୍ତକ୍ଷେପ। ଜାତୀୟ ବିଜ୍ଞାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଡକ୍ଟର‌ ସିଭି ରମଣଙ୍କ କାର୍ଯ୍ୟ ସବୁକୁ ସ୍ମରଣ କରିଛନ୍ତି। ଏହାସହ ମୋଦି ଓଡ଼ିଆ ପୁଅଙ୍କୁ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

 

Other Stories