ସ୍ୱଦେଶୀ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ-ପ୍ରଧାନମନ୍ତ୍ରୀ

ଆମ ଟିକା ସୁରକ୍ଷିତ

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଦୂର କରିଛନ୍ତି। ଆଉ ଏସବୁ ଭିତରେ ସପ୍ତାହକ ଭିତରେ ଆଉ ୧ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଓଡ଼ିଶା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

କରୋନା ବିରୋଧୀ ଯୁଦ୍ଧ ଜିତିବ ଭାରତ
ନିଜେ ବାହାର କରିଛି ଦୁଇ ଦୁଇଟି ଟିକା, ବିଦେଶକୁ ବି ଯୋଗାଉଛି
କୋଭାକ୍ସିନ ହେଉ କି କୋଭିସିଲ୍ଡ, ସମ୍ପୂର୍ଣ୍ଣ ସୁରକ୍ଷିତ ଉଭୟ ଟିକାବାରାଣାସୀର କରୋନା ଯୋଦ୍ଧାଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଭଳି କିଛି ଢଙ୍ଗରେ ସ୍ୱଦେଶୀ ଟିକାକୁ ନେଇ ଦେଶବାସୀଙ୍କ ମନରେ ଥିବା ସଂଶୟକୁ ଦୂର କରିଛନ୍ତି। ତାସହ କହିଛନ୍ତି-ଦେଶରେ ଟିକା ପ୍ରସ୍ତୁତିକୁ ନେଇ ଆରମ୍ଭରୁ ସରକାରଙ୍କ ଉପରେ ରାଜନୈତିକ ଜୋରଦାର ଚାପ ରହିଥିଲା, ହେଲେ ଆମେ କେବଳ ବୈଜ୍ଞାନିକଙ୍କ କଥା ଶୁଣିବାକୁ ନିଷ୍ପତ୍ତି ନେଲୁ ଓ ରଣନୀତି ସହକାରେ ପ୍ରଥମ ପର୍ଯ୍ୟାୟରେ କେବଳ  ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ସ୍ଥିର କଲୁ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନାକ୍ରମେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏମିତିକି ଏହି ପର୍ଯ୍ୟାୟରେ ୫୦ବର୍ଷରୁ ଅଧିକ ବୟସର ଲୋକଙ୍କ ସହ ୫୦ବର୍ଷରୁ ଉର୍ଦ୍ଧ୍ୱ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଟିକା ଦିଆଯିବାକୁ ଯୋଜନା ରହିଛି।

ସେପଟେ କୋଭିଡ୍ ଟିକା ନେବା ପରେ କେତେକ ସ୍ଥାନରୁ ହିତାଧିକାରୀଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ଖବର ଆସିବା ପରେ ଏହା ଉପରେ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କହିଛନ୍ତି-କରୋନା ଟିକା ନେବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ ତାସହ ଏହା ହର୍ଡ ଇମ୍ୟୁନିଟି ମଧ୍ୟ ସୃଷ୍ଟି କରେ। ତେବେ ଏଥିରେ ବଡ଼ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ତେବେ ସାଧାରଣ ଟିକା ଭଳି ଟିକା ନେଇଥିବା ସ୍ଥାନ ସାମାନ୍ୟ ନାଲି ହୁଏ, କୁଣ୍ଡେଇ ହୋଇପାରେ ଓ ଅଳ୍ପ ଜ୍ୱର ମଧ୍ୟ ଆସିପାରେ।

ହେଲେ ଏସବୁରେ ଡରିବାର ନାହିଁ କିନ୍ତୁ ହିତାଧିକାରୀ ଯଦି ପୂର୍ବରୁ କୌଣସି ଭ୍ୟାକ୍ସିନ ନେବାବେଳେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିବେ ତାହାଲେ ସେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ତେବେ ଅତ୍ୟଧିକ ଆଲର୍ଜି, ବ୍ଲିଡିଂ ଡିଜର୍ଡର ଓ ଗର୍ଭବତୀ ମହିଳା ଭ୍ୟାକ୍ସିନ ନନେବା ଉଚିତ୍ ବୋଲି କହିଛନ୍ତି। ସେପଟେ କୋଭାକ୍ସିନ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ସଂଶୟ ଦୂର କରି ଦୁଇ ଦିନ ତଳେ ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍ କହିଥିଲେ ସେ ନିଜେ ଏହି ଟିକା ନେଇଛନ୍ତି ଓ ଅଦ୍ୟାବଧି କୌଣସି ଲକ୍ଷଣ ତାଙ୍କଠି ପ୍ରକାଶ ପାଇନାହିଁ।

ସେପଟେ ସପ୍ତାହକ ଭିତରେ ଓଡ଼ିଶା ଆସିବ ଆଉ ୧ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍। ଏହି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି-ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ। ସିଏଚ୍ସି ଗୁଡ଼ିକରେ ମଙ୍ଗଳ, ବୁଧ, ଶୁକ୍ର ଓ ରବିବାରକୁ ଛାଡ଼ି ବାକି ୩ ଦିନ ଟିକା ଦିଆଯିବ। ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟିଦିନ ଛାଡ଼ି ଅନ୍ୟ ଦିନ ଟିକା ଦିଆଯିବ।

You might also like